ଦ୍ୱନ୍ଦରେ ଭାରତୀୟ ଟିମ୍ : ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ଟେଷ୍ଟ ଶୃଙ୍ଖଳାରେ ସ୍ପିନ୍-ପେସ୍ ବୋଲିଂକୁ ନେଇ ଚିନ୍ତାରେ ବିରାଟ ବାହିନୀ

22

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପରାଜୟ କରି ଭାରତୀୟ ଟିମ୍ କୁ ଶକ୍ତ ଧକ୍କା ଲାଗିଛି । ଏବେ ଅଗଷ୍ଟ ୧ରୁ ଆରମ୍ଭ ହେବାକୁଥିବା ଟେଷ୍ଟ ସୃଙ୍ଖଳାରେ କାହା ଉପରେ ବିଶ୍ୱାସ କରିବେ କପ୍ତାନ ବିରାଟ ଦ୍ୱନ୍ଦରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି । କେବଳ ଏତିକି ନୁହେଁ ପୂର୍ବରୁ ଇଂଲଣ୍ଡ ପିଚ୍ ରେ ଭାରତୀୟ ବୋଲିଂ ଟି-୨୦ ମ୍ୟାଚକୁ ଛାଡ଼ି ଦେଲେ ଅନ୍ୟ କେଉଁ ମ୍ୟାଚରେ ଭଲ ପ୍ରଦର୍ଶନ କରି ପାରି ନାହିଁ । ଯାହା ବିରାଟଙ୍କ ପାଇଁ ପ୍ରମୂଖ କାରଣ ପାଲଟିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ସ୍ପିନ୍ କି ପେସ୍ ବାଲିଂର ପ୍ରଭାବ ରହିବ ଏବେ ବିରାଟ କୋହଲିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ସାଧାରଣତଃ ଇଂଲଣ୍ଡରେ ପେସ୍ ବୋଲିଂର ପ୍ରଭାବ ରହିଥାଏ। କିନ୍ତୁ ଏବେ ଇଂଲଣ୍ଡରେ ଅସ୍ୱାଭାବିକ ଭାବେ ପାଗ ଗରମ ଓ ଶୁଷ୍କ ଥିବାରୁ ପିଚ୍ରୁ ସୁଇଙ୍ଗ୍ ମିଳିବା ସମ୍ଭାବନା କମ୍। ଯାହାକି ସ୍ପିନ୍ ସପକ୍ଷରେ ଗୁରୁତ୍ୱ ରଖିବାକୁ ଉତ୍ସାହିତ କରୁଛି। କିଏ କ’ଣ ମତ ରଖୁ କିମ୍ବା ଗଣମାଧ୍ୟମରେ ଯାହା କିଛି ଖେଳିଯାଉ କପ୍ତାନ କୋହଲି ପ୍ରଭାବିତ ହେବା ଭଳି ଖେଳାଳି ନୁହଁନ୍ତି ।

୩୫ ଟେଷ୍ଟ ଅଧିନାୟକତ୍ୱ କରି ସାରିଥିବା କୋହଲି ଭାରତକୁ ୨୧ ବିଜୟ ଦେଇଛନ୍ତି। ଏହା ମଧ୍ୟରେ ବିଦେଶ ମାଟିରେ ୮ ବିଜୟ ରହିଛି। ଦଳର ସାମର୍ଥ୍ୟ ଓ ଦୁର୍ବଳତା ତାଙ୍କୁ ଭଲ ଭାବରେ ଜଣା। ଦଳରେ ୩ ଜଣ ଲେଖାଏଁ ବିଶ୍ୱ ଶ୍ରେଣୀୟ ପେସ୍ ବୋଲର ଉମେଶ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି ଏବଂ ସ୍ପିନର୍ ଆର୍ ଅଶ୍ୱିନ୍, ରବୀନ୍ଦ୍ର ଜାଦେଜା, କୁଲ୍ଦୀପ ଯାଦବ ରହିଥିବାରୁ ବିକଳ୍ପର ଅଭାବ ନାହିଁ। ସ୍ପିନ୍ ସମ୍ଭାବନା କାଏମ ରହିଲେ କୋହଲି ନିଶ୍ଚିତ ଅଶ୍ୱିନ-ଜାଦେଜାଙ୍କୁ ଖେଳାଇବାରେ କୁଣ୍ଠିତ ହେବେ ନାହିଁ। ବିଶ୍ୱ ମାନ୍ୟତାରେ ଏମାନେ ଯଥାକ୍ରମେ ୩ ଓ ୫ ନମ୍ବର ସ୍ଥାନରେ ଅଛନ୍ତି। ୩ ସ୍ପିନର ଖେଳାଇବା ସମ୍ଭାବନା କମ୍ ଥିବାରୁ କୁଲ୍ଦୀପଙ୍କୁ ଚୂଡାନ୍ତ ଏକାଦଶରେ ନେବା ଏକ ପ୍ରଶ୍ନବାଚୀ ହୋଇଛି। ଏ କ୍ଷେତ୍ରରେ ଦଳରେ ସନ୍ତୁଳନ ଆଣିବା କାଠିକର ପାଠ ହୋଇଯିବ ।

କିନ୍ତୁ ଅତୀତରେ ଭାରତ ୩ ଜଣିଆ ସ୍ପିନ୍ ଆକ୍ରମଣରେ ଖେଳିବାର ଅନେକ ଉଦାହରଣ ରହିଛି। ୨୦୧୪ ଇଂଲଣ୍ଡ ଗସ୍ତ ପରଠାରୁ ଭାରତ କେବଳ ୯ ଘରୋଇ ଟେଷ୍ଟ୍ରେ ଏବଂ ଦେଶ ବାହାରେ କେବଳ ଗଲ୍ରେ ଏଭଳି କରିଥିଲା। ସବୁଠାରୁ ମଜା କଥା ହେଲା ୨୦୧୬ରେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ସମସ୍ତ ୫ ଟେଷ୍ଟ୍ରେ ୩ ସ୍ପିନ୍ ଆକ୍ରମଣରେ ଖେଳି ଭାରତ ୪-୦ରେ ବିଜୟୀ ହୋଇଥିଲା। ଏବେ ଇଂଲଣ୍ଡର ପିଚ୍ ଓ ପରିବେଶକୁ ନଜରରେ ରଖି ଭାରତ ୨ ପେସ୍ ଓ ୩ ସ୍ପିନ୍ ଯୋଜନାକୁ ମଧ୍ୟ ବିଚାରରେ ରଖିଛି। କିନ୍ତୁ ଓ୍ଵିକେଟରକ୍ଷକଙ୍କୁ ଛାଡ଼ି ଭାରତ ୫ ଜଣ ବ୍ୟାଟସମ୍ୟାନରେ ଖେଳିବ କି ନାଁ ଯୋଜନା କରୁଛି। କୋହଲି ନିଜର ୩୫ ଟେଷ୍ଟ୍ ନେତୃତ୍ୱ ସମୟରେ ୨୩ ମ୍ୟାଚ୍ରେ ୫ ଜଣ ବୋଲରଙ୍କୁ ନେଇ ଖେଳିଛନ୍ତି। ତେବେ ଇଂଲଣ୍ଡର ପିଚ୍ ପରିସ୍ଥିତିକୁ ନେଇ ସବୁକିଛି ନିର୍ଣ୍ଣୟ କରାଯିବ ।