ମହାତ୍ମା ଗାନ୍ଧୀଙ୍କ ସର୍ମ୍ପକରେ ବିବାଦୀୟ ଟ୍ୱିଟ୍ କରିବା ମହଙ୍ଗା ପଡିଲା । ଚାକିରିରୁ ବଦଳି ହେଲେ ଆଇଏଏସ ଅଫିସର ନିଧି ଚୌଧୁରୀ ।

389

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ କରିଥିବା ଆଇଏଏସ ଅଫିସରଙ୍କୁ ହଟହଟା ହେବାକୁ ପଡିଛି । ବିବାଦୀୟ ଟ୍ୱିଟ୍ ପାଇଁ ବହୁମୂଲ୍ୟ ଦେବାକୁ ପଡିଛି ଆଇଏଏସ ନିଧି ଚୌଧୁରୀଙ୍କୁ । ବିବାଦୀୟ ବୟାନ ପାଇଁ ନିଧିଙ୍କୁ ବଦଳି କରାଯାଇଛି । ତାଙ୍କୁ ବିଏମସିର ଡେପୁଟି ମୁନିସପାଲ କମିସନର ପଦରୁ ୱାଟର ଆଣ୍ଡ ସାନିଟେସନ ବିଭାଗକୁ ବଦଳି କରାଯାଇଛି ।

ଗତ ୧୭ ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରିଥିଲେ ନିଧି । ଟ୍ୱିଟ କରି ନିଧି ଲେଖିଥିଲେ ଯେ, ଆମେ ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛୁ । ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ପାଇଁ ଏହା ହେଉଛି ଠିକ୍ ସମୟ । ପୂରା ବିଶ୍ୱରୁ ଗାନ୍ଧୀଙ୍କ ମୂର୍ତ୍ତିକୁ ହଟାଇ ଦିଆଯାଉ । ଏପରିକି ତାଙ୍କ ନାମରେ ରଖାଯାଇଥିବା ସଂସ୍ଥା ଓ ସଡକ ଗୁଡିକର ମଧ୍ୟ ନାଁ ବଦଳାଇବା ଦରକାର । ଏହା ହିଁ ଗାନ୍ଧୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ । ୩୦ ଜାନୁଆରୀ ୧୯୪୮ ଘଟଣା ପାଇଁ ଗଡସେଙ୍କୁ ଧନ୍ୟବାଦ । ଆଉ ଏଭଳି ଟ୍ୱିଟ୍ ପାଇଁ ଏବେ ବିବାଦ ଘେରକୁ ଆସିଥିଲେ ନିଧି । ଏପରିକି ନିଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏନସିପି ନେତା ଦାବି କରି ଧାରଣାରେ ବସିଥିଲେ ।

ଏଭଳି ବିବାଦୀୟ ସ୍ଥିତି ଉପୁଜିବା ପରେ ନିଧି ଚୌଧୁରୀ ଟ୍ୱିଟ୍ ହଟାଇ ଦେଇଥିଲେ । ଏହାସହ କହିଥିଲେ, ମୋ ଟ୍ୱିଟକୁ ନେଇ କିଛି ଲୋକ ଭୁଲ ବୁଝୁଛନ୍ତି । କିନ୍ତୁ ଯଦି ୨୦୧୧ରୁ ମୋ ଟାଇମଲାଇନ ଦେଖିବେ ତେବେ ଜାଣିପାରିବେ ଯେ ଗାନ୍ଧୀଙ୍କୁ ମୁଁ କେତେ ସମ୍ମାନ କରେ । ତାଙ୍କୁ ଅନାଦାର କରିବା କଥା କେବେ ସ୍ୱପ୍ନରେ ସୁଦ୍ଧା ଭାବିପାରିବି ନାହିଁ । ଜୀବନର ଶେଷ ନିଶ୍ୱାସ ପର‌୍ୟ୍ୟନ୍ତ ତାଙ୍କୁ ଏଭଳି ସମ୍ମାନ ଓ ଶ୍ରଦ୍ଧା କରୁଥିବି ବୋଲି ନିଜ ଟ୍ୱିଟର ଟାଇମଲାଇନରେ ଉଲ୍ଲେଖ କରିଥିଲେ ନିଧି । କିନ୍ତୁ ସଫେଇ ଦେବା ପରେ ମଧ୍ୟ ନିଧିଙ୍କୁ ବଦଳି କରାଯାଇଛି ।