କପି ହେଲାନି ବୋଲି…? ମନ୍ତ୍ରୀ କହିଲେ, ପାସ୍ ହାର କମିବା ପଛର କାହାଣୀ ।

247

କନକ ବ୍ୟୁରୋ : ସିସିଟିଭି ଲାଗିଲା, ପାସ୍ ହାର କମିଲା । ଚଳିତଥର ପରୀକ୍ଷାଫଳକୁ ପ୍ରଭାବିତ କଲା ସିସିଟିଭି । ପୂର୍ବରୁ ମାଟ୍ରିକ ଓ ଏବେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ କମିବା ପଛରେ ସିସିଟିଭିକୁ ପ୍ରମୁଖ କାରଣ ବୋଲି କୁହାଯାଉଛି । ଖୋଦ୍ ଶିକ୍ଷା ମନ୍ତ୍ରୀ ମଧ୍ୟ ଏକଥା ଅସ୍ୱୀକାର କରୁନାହାନ୍ତି । କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ଏହା ପଛର ସତ୍ୟତା ରହିଛି ।

ସିସିଟିଭିକୁ କାହାର ବା ଭୟ ନଥାଏ । ଆଉ ଛାତ୍ରଛାତ୍ରୀ ବା ଏଥିରୁ ବାଦ୍ ପଡନ୍ତେ କେମିତି । ସିସିଟିଭି ଲାଗିଥିବା ସ୍ଥାନରେ ଲୋକମାନେ କିଛି ଭୁଲ କରିବା ପୂର୍ବରୁ ହଜାରେ ଥର ଭାବିଥାନ୍ତି । ଠିକ୍ ସେହିଭଳି ଚିତ୍ର ଚଳିତଥର ପରୀକ୍ଷା ହଲରେ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ସିଧାସଳଖ ପ୍ରଭାବ ପରୀକ୍ଷାଫଳ ଉପରେ ପଡିଛି । ଚଳିତବର୍ଷ ମାଟ୍ରିକ ପାସ୍ ହାର କମ ହୋଇଥିବା ବେଳେ ଆଜି ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଗତବର୍ଷ ତୁଳନାରେ ୪ ପ୍ରତିଶତ କମ ରହିଛି । ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୨.୩୩ ପ୍ରତିଶତକୁ ଖସି ଆସିଛି । ତେବେ ସିସିଟିଭି ପାଇଁ ପାସ୍ ହାର କମିଥିବା ନେଇ ଏବେ ଚର୍ଚ୍ଚା ହେଉଛି ।

ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ଉଭୟ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା । ଏପରିକି କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡଙ୍କ ସମେତ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଥର ପାଇଁ ସିସିଟିଭି ଲଗାଯାଇଥିଲା । ପୂରା ପରୀକ୍ଷାହଲ ଉପରେ ନଜର ରଖିଥିଲା ସିସିଟିଭି । ଆଉ ବୋର୍ଡର ଏହି ପ୍ରୟାସ, କପି କରି ପାସ୍ କରିବାକୁ ଲକ୍ଷ୍ୟ ରଖିଥିବା ପରୀକ୍ଷାର୍ଥୀଙ୍କ ନିଦ ହଜାଇ ଦେଇଥିଲା । ପାସ୍ କରିବାର ସର୍ଟକର୍ଟ ଫର୍ମୁଲା ଆପଣାଇଥିବା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଥିଲା ସିସିଟିଭି । ନା କପି କରି ପାରିଥିଲେ ନା ଅନ୍ୟ କୌଣସି ଉପାୟରେ ଖାତାରେ ଲେଖିପାରିଥିଲେ ଉତ୍ତର । ଯାହାର ପ୍ରଭାବ ସିଧାସଳଖ ପରୀକ୍ଷାଫଳ ଉପରେ ପଡିଥିଲା । ଯେଉଁଥିପାଇଁ ଗତବର୍ଷ ତୁଳନାରେ କମିଥିଲା ପାସ୍ ହାର । ଏପରିକି ୯ଟି ସ୍କୁଲର ଫଳାଫଳ ଶୂନ ମଧ୍ୟ ରହିଛି । ଯାହା ଦର୍ଶାଉଛି ସିସିଟିଭି କେତେ ମାତ୍ରାରେ ପରୀକ୍ଷାଫଳକୁ ପ୍ରଭାବିତ କରିଛି । ଏହାସହ ପୂର୍ବରୁ ହେଉଥିବା ପରୀକ୍ଷାର ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡା କରିଛି । ତେବେ ସିସିଟିଭି ଲଗାଯିବା ଫଳରେ ବୋର୍ଡକୁ କିଛି ଫାଇଦା ମଧ୍ୟ ମିଳିଛି ।

ସିସିଟିଭି ଲଗାଯିବା ଫଳରେ ପରୀକ୍ଷାହଲରେ କପି କରୁଥିବା ଛାତ୍ରଛାତ୍ରୀ ବେଶ ସହଜରେ ଧରାପଡିଛନ୍ତି । ତେବେ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯିବାର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ,  ଛାତ୍ରଛାତ୍ରୀ ପାସ୍ ହେବା ପାଇଁ କପି ବଦଳରେ ପାଠପଢା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ମନ୍ତ୍ରୀ । ଏପରିକି କୌଣସି ଅସାଧୁ ଉପାୟରେ ନୁହେଁ ବରଂ ନିଜର ପରିଶ୍ରମ ବଳରେ ଛାତ୍ରଛାତ୍ରୀ ପାସ୍ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ ।