ରଥଯାତ୍ରା ପାଇଁ ବଡ ସୁରକ୍ଷା ବ୍ୟବସ୍ଥା, ରହିବନି ଟ୍ରାଫିକ ସମସ୍ୟା । ପୋଲିସ ଛାଉଣୀରେ ପରିଣତ ହେବ ବଡଦାଣ୍ଡ

51

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କାଉଣ୍ଟ ଡାଉନ ଆରମ୍ଭ । ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ରାଜ୍ୟ ପୋଲିସ ପକ୍ଷରୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ସମୟରେ ହେଉଥିବା ବିଶୃଙ୍ଖଳା ରୋକିବା ପାଇଁ ଚଳିତ ବର୍ଷ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ଏବେ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରଥଯାତ୍ରାର ସୁରକ୍ଷା ସମ୍ବନ୍ଧରେ ଗତକାଲି ପୋଲିସ ଆଇଜି ସମୀକ୍ଷା ବୈଠକ କରିବା ପରେ ଆଜି ପୋଲିସ ଏଡିଜି ମକଡ୍ରିଲ କରାଇଛନ୍ତି । ରଥଯାତ୍ରାରେ କିପରି ବିଶୃଙ୍ଖଳା ସୃଷ୍ଟି ନ ହେବ ଓ ଟ୍ରାଫିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ।

ବଡ ଦାଣ୍ଡରେ ବଡ ସୁରକ୍ଷା । ପୋଲିସ ଛାଉଣୀରେ ପରିଣତ ହେବ ପୁରୀ ସହର । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପୂରା ହୋମୱାର୍କ କରିଛି ପୋଲିସ । ଘୋଷଯାତ୍ରାର ସୁରକ୍ଷା ଦାୟିତ୍ୱ ୧୦୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ରହିବ । ଏହାଛଡା ଭିଡ ନିୟନ୍ତ୍ରଣ କରିବା ପାଇଁ ୧୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୨୦୦୦ ହୋମଗାର୍ଡ,୧୦୦୦ ଏପିଆରଙ୍କ ସମେତ ମୋଟ ୮୦୦୦ ପୋଲିସ କର୍ମଚାରୀ ରଥଯାତ୍ରା ସମୟରେ ମୁତୟନ ହେବେ ବୋଲି ପୋଲିସ ଏଡିଜି ସୂଚନା ଦେଇଛନ୍ତି । ମନ୍ଦିର ଭିତର, ରଥ କର୍ଡନ, ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ ନିୟନ୍ତ୍ରଣ ଦାୟିତ୍ୱରେ ଆଇଜି ରାଙ୍କର ଅଫିସର ରହିବେ । ଖାସକରି ଭିଡ ନିୟନ୍ତ୍ରଣ ପାଇଁ ୩୦ଟି କ୍ରାଉଡ ଜୋନ ଚିହ୍ନଟ କରାଯାଇଛି । ଯାହାକୁ ଆଇଜି ଓ ଡିଆଇଜି ରାଙ୍କର ପୋଲିସ ତଦାରଖ କରିବେ ।

puriରଥଟଣା ହେଉଥିବା ବେଳେ ପ୍ରତି ରଥର କର୍ଡନ ଦାୟିତ୍ୱରେ ଆରପିଏଫ ଓ ଓଡିଶା ପୋଲିସ ରହିବେ । ଏପରିକି ଓଡିଶାର ସ୍ୱତନ୍ତ୍ର ସ୍ୱିଫ୍ଟ ଆକ୍ସନ ଫୋର୍ସଙ୍କୁ ମଧ୍ୟ ନିୟୋଜିତ କରାଯିବ । ଏପରିକି ବଡଦାଣ୍ଡରେ ମିଶିଥିବା ବିଭିନ୍ନ ଗଳି ରାସ୍ତା ଗୁଡିକରେ ମଧ୍ୟ ଯାନବାହାନ ଯାତାୟତ ଉପରେ କଟକଣା ଲଗାଯିବ । ଏହାଛଡ଼ା ପୁରୀରେ ରଥଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ଅଧିକ ଦେଖା ଦେଇଥାଏ । ତେଣୁ ଚଳିତ ଥର ଟ୍ରାଫିକ ସମସ୍ୟା ପରିଚାଳନା ପାଇଁ ବରିଷ୍ଠ ତଥା ଅଭିଜ୍ଞ ପୋଲିସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହାଛଡା ରଥଯାତ୍ରା ସମୟରେ ପୁରୀ ବଡଦାଣ୍ଡର ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଅଞ୍ଚଳକୁ ‘ନୋ ଫ୍ଲାଏ ଜୋନ’ ଘୋଷଣା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ । ଏ ସମ୍ପର୍କରେ ସୂଚନା ଦେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି ଯେ ବଡ଼ଦାଣ୍ଡକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ଏହାର ଉତ୍ତର ରଖିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେଉଁ ଭୌଗଳିକ ସ୍ଥିତିରେ ବଡଦାଣ୍ଡ ଓ ଶ୍ରୀମନ୍ଦିର ରହିଛି ତାହା ଏକ ଆନ୍ତର୍ଜାତିକ ରୁଟ୍ । ତେଣୁ ତାକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରିବା ସମ୍ଭବ ନୁହେଁ । ଅପରପକ୍ଷେ ଏହି ରୁଟ୍ରେ ବିମାନଗୁଡ଼ିକ ପ୍ରାୟ ୩୫ ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଣ କରିଥାନ୍ତି । ତେଣୁ ବଡ଼ଦାଣ୍ଡ କିମ୍ବା ଶ୍ରୀମନ୍ଦିର ଉପରକୁ କୌଣସି ବିପଦ ନାହିଁ । ଅପରପକ୍ଷେ ଯେତେବେଳେ କୌଣସି ଜରୁରି ପରିସ୍ଥିତିରେ ବିମାନ ୧୦୦୦ ପୁଟ୍ ତଳକୁ ଖସିଆସିବ,ସେତେବେଳେ ଉପଯୁକ୍ତ ସିଗ୍ନାଲ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଏସପି ଶ୍ରୀ ଷଡଙ୍ଗୀ କହିଛନ୍ତି ।