ଭିତ୍ତିଭୁମି ନଥାଇ ଖୋଲି ଦେଲେ ବିଦ୍ୟାଳୟ : କେଉଁଠି ମନ୍ଦିର ଭିତରେ ସ୍କୁଲ ତ କେଉଁଠି ଭଙ୍ଗା ଘରେ ବିପଦ ସଙ୍କୁଳ ପାଠପଢା

37

କନକ ବ୍ୟୁରୋ : ଭିତ୍ତିଭୁମି ନଥାଇ ଖୋଲି ଦେଲେ ବିଦ୍ୟାଳୟ । ନିଜସ୍ୱ ଗୃହ ନଥିବାରେ କେଉଁଠି ମନ୍ଦିର ଭିତରେ ତ ଆଉ କେଉଁଠି ପର ବାରଣ୍ଡାରେ ଚାଲିଛି ସ୍କୁଲ । ଗୋଟିଏ ସ୍ଥାନରେ ଜାକିଜୁକି ହୋଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଯେଉଁଠି ବସିବା ପାଇଁ ଜାଗା ଟିକେ ମିଳୁନାହିଁ ସେଠାରେ ପିଲାଙ୍କ ପାଠ କଣ ପଢିବେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ପଢ଼ନ୍ତୁ ରାଜ୍ୟର ୩ଟି ଜିଲ୍ଲାର ୩ଟି ସରକାରୀ ସ୍କୁଲର ବାସ୍ତବ ଚିତ୍ର ।

୧୦ ବର୍ଷ ହେଲା ତ୍ରିନାଥ ମନ୍ଦିର ଭିତରେ ଚାଲିଛି ଭବାନୀପାଟଣା ରାଇସିଂପୁର ପ୍ରାଥମିକ ବିଦ୍ୟାଳୟ । ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୁରରେ ଥିବା ସ୍କୁଲର ଶ୍ରେଣୀ ଗୃହ ନଥିବାରୁ ୨୩ ଜଣ ଛାତ୍ରଛାତ୍ରୀ ମନ୍ଦିର ଭିତରେ ପଢୁଛନ୍ତି । ଗୋଟିଏ ପଟେ ପୂଜାପାଠ କରାଯାଉଥିବା ବେଳେ ଅନ୍ୟପଟେ ଶିକ୍ଷାଦାନ କରୁଛନ୍ତି ୩ ଜଣ ଶିକ୍ଷକ । ସ୍କୁଲର ଏଭଳି ଅବସ୍ଥା ପ୍ରତି କାହାର ନଜର ନଥିବା ବେଳେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଥିବା ଏସଏସଜି ଗ୍ରୁପର ମହିଳାମାନେ ନିଜ ନିଜ ଘରେ ପାଳି କରି ମଧ୍ୟାହ୍ନ ଭୋଜନ ରାନ୍ଧି ଯୋଗାଉଛନ୍ତି ।

କେନ୍ଦୁଝର ବାଂଶପାଳ ବ୍ଲକର ଆଦିବାସୀ ଅଧୁଷିତ ଅଂଚଳ ଭେଜିଡିହ । ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୬ କିଲୋମିଟର ଦୂର ଏହି ଗାଁରେ ୨୦୧୪ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଛନ୍ତି ସରକାର । କିନ୍ତୁ ସ୍କୁଲର ନିଜସ୍ୱ ଗୃହ ନଥିବାରୁ ସାହିର ଏକ କ୍ଲବ ଘର ବାରଣ୍ଡାରେ ପାଠ ପଢୁଛନ୍ତି ପ୍ରଥମରୁ ପଂଚମ ଯାଏଁ ଛାତ୍ରଛାତ୍ରୀ । ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣଧିନ ରହିଛି, ଯଥାଶିଘ୍ର ଶେଷ ହୋଇ ସ୍କୁଲକୁ ସ୍ଥାୟୀ ଘରକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଡିପିସି ।

୧୪୯ ନମ୍ବର ଜାତୀୟ ରାଜପଥ କଡରେ ରହିଛି ଅନୁଗୁଳ କଣିହା ବ୍ଲକ ସିପୁରର ୩୩ ବର୍ଷର ପୁରୁଣା ନନ୍ଦ କିଶୋର ହାଇସ୍କୁଲ । ଯେଉଁଠି ଭାଙ୍ଗି ଗଲାଣି ବେଂଚ ଡେସ୍କ, ଉଡି ଗଲାଣି ସ୍କୁଲର ଆଜବେଷ୍ଟ । ହେଲେ ଭଙ୍ଗା ଘର ଭିତରେ ଅତି ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ଅଷ୍ଟମରୁ ଦଶମ ଯାଏଁ ୧୬୨ ଛାତ୍ରଛାତ୍ରୀ । ରାଜପଥରେ ପ୍ରତିଦିନ ରାଜନେତା, ବିଭାଗୀୟ ଅଧିକାରୀ ଯା’ଆସ କରୁଛନ୍ତି, ହେଲେ ସ୍କୁଲ ଉପରେ କାହାର ନଜର ପଡୁନଥିବା ଅଭିଯୋଗ ହୋଇଛି ।