ଓଡିଶା ଛାତିରେ ‘ବିହାର’ ଛନକା: ଲ୍ୟାବ୍ ଯିବ ଲିଚୁ, ମୃତ୍ୟୁ ଆଣୁଥିବା ମିଠା ଲିଚୁର ନମୂନା ସଂଗ୍ରହ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୃତ୍ୟୁର ନାଁ ମିଠା ଲିଚୁ...

570

କନକ ବ୍ୟୁରୋ: ବିହାର ବଢାଇଲା ଚିନ୍ତା । ବିହାରର ମୁଜାଫରପୁର ମୃତ୍ୟୁର ଉପତ୍ୟକା ପାଲଟିବା ପରେ ଏବେ ସମସ୍ତଙ୍କ ଛାତିରେ ଛନକା । ମହାମାରୀ ମାରାତ୍ମକ ରୋଗ ଜାପାନୀ ଜ୍ୱରରେ ୧୦୯ ଜଣ ଶିଶୁଙ୍କ ଜୀବନ ଯିବା ପରେ ସତର୍କ ହୋଇଛି ଓଡିଶା । ସତର୍କ ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଶିଶୁମୃତ୍ୟୁ ପାଇଁ ଲିଚୁ ମୁଖ୍ୟ କାରଣ ପାଲିଚିଛି । ଲିଚୁରେ ଏନସେଫାଲାଇଟିସ ଅଧିକ ମାତ୍ରାରେ ବ୍ୟାପୁଥିବାରୁ ଓଡିଶା ସ୍ୱାସ୍ଥ୍ୟ ବିଭାଗ ସେଥିପ୍ରତି ସତର୍କ ରହିଛି । ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ କି ନୁହେଁ ତାହାର ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁରେ ବିଷର ପରିମାଣ ଅଛି କି ନାହିଁ ତାହାର ଏକ ନମୂନା ସଂଗ୍ରହ କରି ପରୀକ୍ଷା କରିବାକୁ ଖାଦ୍ୟ ସୁରକ୍ଷା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ନମୂନା ପରୀକ୍ଷା କରି ମଣିଷ ଦେହରେ ଏହା ଖରାପ ପ୍ରଭାବ ପକାଇବ କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବ ଦାସ ।

ତେବେ ବିହାରରେ ଜାପାନୀ ଜ୍ୱରରେ କଅଁଳ କଢ଼ି ଝଡିପଡିବା ପରେ ଖାଲି ହେଉଛି ମାଆ କୋଳ । ଦଶମାସ ଦଶଦିନ ଗର୍ଭରେ ଧରି ଅନେକ କଷ୍ଟ ଅନେକ ଯନ୍ତ୍ରଣା ପାଇ ପିଲାଟିକୁ ଜନ୍ମ ଦେଇଥିବା ମାଆ ତା ପିଲାକୁ ହରାଉଛି । ମାଆର ଆଖି ଆଗରୁ ଛୁଆର ଜୀବନ ନେଇଯାଉଛି ଜାପାନୀ ଯମ । ତେବେ ଲିଚୁ ଖାଇ ଏଯାବତ ୧୦୯ ଶିଶୁଙ୍କ ଜୀବନ ଦୀପ ଲିଭି ଯାଇଥିଲେ ବି ଏଯାଏଁ ନିଦରେ ଶୋଇ ରହିଛନ୍ତି ନୀତିଶ ସରକାର । ବିହାରର ଏଭଳି ସ୍ଥିତିରେ ଓଡିଶା ସମେତ ସାରା ଦେଶ ଛାନିଆ ହୋଇଛି ଆଉ ଆଗୁଆ ପଦକ୍ଷେପ ନେଇଛି ।