ସମ୍ବଲପୁରରେ ହନୁମାନ ଜୟନ୍ତୀ ! ଶୋଭାଯାତ୍ରାର ରାସ୍ତା ବଦଳାଇଲା ଜୟନ୍ତୀ ସମନ୍ୱୟ କମିଟି

80

କନକ ବ୍ୟୁରୋ : ଆଜି ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ସମ୍ବଲପୁର ସହରରେ ଜୟନ୍ତୀ ପାଳନ କରୁଛି ସମନ୍ୱୟ ସମିତି । ବିଭିନ୍ନ ପଡାରେ ସଭା ଓ ଶୋଭାଯାତ୍ରା ପାଇଁ ସମନ୍ୱୟ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଧୁମଧାମରେ ହନୁମାନ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି କରାଯାଇଥିବାବେଳେ ଶୋଭାଯାତ୍ରାରେ ୩୦ରୁ ଅଧିକ ସାମିଲ ହେବା ସୂଚନା ରହିଛି । ତେବେ ଚଳିତବର୍ଷ ପ୍ରଥମଥର ଲାଗି ଶୋଭାଯାତ୍ରାର ରାସ୍ତା ପରିବର୍ତ୍ତନ କରାଯାଇଛି ।

ବାଲିବନ୍ଧାରୁ ଶୋଭାଯାତ୍ରା ବାହାରି ଜିଲ୍ଲା ସ୍କୁଲ ଛକରେ ପହଂଚିବ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଶୋଭା ଯାତ୍ରା ସମୟରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦ରୁ ଅଧିକ ଅଫିସର ମୁତୟନ ରହିବେ । ତେବେ ଶୋଭାଯାତ୍ରାରେ ଖଣ୍ଡା ଓ ନିଆଁ ବୁଲାଇବାକୁ ବାରଣ କରିଛି ପୋଲିସ । କଟକଣାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ବିଭିନ୍ନ ସମୟରେ ହନୁମାନ ଜୟନ୍ତି ବେଳେ ସମ୍ବଲପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପଜୁଥିବାରୁ ପୁରା ପୋଲିସ ଛାଉଣୀରେ ପରିଣତ ହୋଇଛି ସମ୍ବଲପୁର ସହର ।

ସୂଚନାଯୋଗ୍ୟ ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ । ଓଡିଶା ସମେତ ଭାରତର ଅନ୍ୟ ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ନୂଆ ଓଡିଆ ନୂଆ ବର୍ଷ କୁହାଯାଏ ।ଏହି ଦିନରୁ ନୂଆ ପାଂଜି ଆରମ୍ଭ କରାଯାଇଥାଏ । ସୂର୍ଯ୍ୟ ଏହି ଦିନ ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଏବଂ ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି । ପଂଜାବ ଓ ହରିଆଣାରେ ମଧ୍ୟ ବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ବୋଲି ଗଣନା କରାଯାଏ । ସେମାନେ ଏହି ଦିନକୁ ବୈଶାଖୀ ଭାବେ ପାଳନ କରନ୍ତି । ଅହମୀୟଙ୍କ ପାଇଁ ଏହା ବୋହାଗ ବିହୁ ଏବଂବଙ୍ଗୀୟଙ୍କ ପାଇଁ ପହେଲା ବୈଶାଖୀ । ବିହାରୀଙ୍କ ପାଇଁ ବୈଶାଖ, ତାମିଲଙ୍କ ପାଇଁ ପୁଥାଣ୍ଡୁ ଓ କେରଳୀ ପରମ୍ପରାରେ ଏହା ବିଶୁ ଭାବେ ପାଳିତ ହେଉଛି ।