ଭୋଜନରେ ଭାଇଚାରା : ଏକାବେଳେ ଖାଇଲେ ୩୦ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀ, କିସରେ ବିଶାଳ ମଧ୍ୟାହ୍ନ ଭୋଜନ ଆୟୋଜନ

22

କନକ ବ୍ୟୁରୋ : ଭୁବନେଶ୍ୱରର କିସରେ ବ୍ରିଟିଶ୍ କାଉନସିଲ୍ ପକ୍ଷରୁ ଆଜି ୩୦ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଦିଆଯାଇଛି ବିଗ୍ ଲଂଚ୍ ବା ବିଶାଳ ମଧ୍ୟାହ୍ନ ଭୋଜନ । ବ୍ରିଟିଶ୍ କାଉନସିଲ୍ ପକ୍ଷରୁ ଏଥିପାଇଁ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା । ଏହି ବିଶାଳ ମଧ୍ୟାହ୍ନ ଭୋଜନରେ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ମିଶି ଭୋଜନ କରିଥିଲେ ୫୩ଟି ରାଜ୍ୟଗୋଷ୍ଠୀ ଦେଶର ହାଇକମିଶନର ଓ ପ୍ରତିନିଧି । ଏପ୍ରିଲ ମାସରେ ରାଜ୍ୟଗୋଷ୍ଠୀ ଦେଶସମୂହ ମୁଖ୍ୟଙ୍କ ବୈଠକ ପୂର୍ବରୁ ଭାରତର କିସ୍ ସମେତ ୬ଟି ଦେଶରେ ଏଭଳି ବିଗ୍ ଲଂଚ୍ ବା ବିଶାଳ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଛି ।

ଆଜି ଏହି ମଧ୍ୟାହ୍ନ ଭୋଜନରେ ଯୋଗ ଦେବା ପୂର୍ବରୁ ରାଜ୍ୟଗୋଷ୍ଠୀ ଦେଶସମୂହର ହାଇକମିଶନର ଓ ପ୍ରତିନିଧିମାନେ କିସ୍ର ମେଗା କିଚେନ୍ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମଟି ସଂପୂର୍ଣ୍ଣ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବାରୁ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ପ୍ରକାଶ କରିଥିଲେ । ପୂର୍ବରୁ ଏଭଳି ବିଶାଳ ମଧ୍ୟାହ୍ନ ଭୋଜନ ଆୟୋଜନ କରିବାରେ କିସରେ ରେକର୍ଡ ରହିଛି । ୨୦୧୧ ମସିହାରେ ସୁପ୍ରିମକୋର୍ଟ ସମେତ ଅନ୍ୟାନ୍ୟ ଉଚ୍ଚ ନ୍ୟାୟାଳୟର ୨୫୦ ବିଚାରପତି କିସରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ସମୂହ ମଧ୍ୟାହ୍ନଭୋଜନ କରିଥିଲେ । ଚଳିତ ମାସରେ ଏଭଳି ବିଶାଳ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମକୁ ଉଦଘାଟନ କରି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଥେରେସା ମେ’-ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକ ମଧ୍ୟରେ ଏହା ସଂପର୍କ ସୁଦୃଢ଼ କରିବ ବୋଲି କହିଥିଲେ ।