ମାଆଙ୍କ ଶବ ପାଇଁ ଟଣାଓଟରା । ବାପା-ପୁଅ ଭିତରେ ତେଜିଲା କଳି । ପିଲାଙ୍କୁ ନଜଣାଇ ମୃତଦେହ ହସ୍ପିଟାଲକୁ ଦାନ କରିଦେଇଥିଲା ବାପା

ଶବ ସତ୍କାର ପାଇଁ ଆଇନର ଦ୍ୱାରସ୍ଥ ହେଲେ ତିନି ପୁଅ

157

କନକ ବ୍ୟୁରୋ: ମାଆ ଶବ ପାଇଁ ବାପା-ପୁଅ ମୁହାଁମୁହିଁ । ମାଆ ମୃତ୍ୟୁ ଖବର ପୁଅକୁ ନଜଣାଇ ମାଆ ମୃତଦେହକୁ ଡାକ୍ତରଖାନାକୁ ଦାନ କରିଦେଇଛନ୍ତି ବାପା । ଏପଟେ ମାଆ ମୃତଦେହର ସଂସ୍କାର ପାଇଁ ଥାନାରୁ ଥାନା ଦୌଡୁଛନ୍ତି ୩ ପୁଅ । ମାଆ ଶବକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଳି ଲାଗିଥିବା ବେଳେ ଉଭୟଙ୍କୁ ଡାକି ଆଲୋଚନା କରି ସମାଧାନ କରିବା ପାଇଁ ଚେଷ୍ଟା କରୁଛି ପୁଲିସ । ପଢନ୍ତୁ ପୂରା ଘଟଣା…

ମାଆଙ୍କ ଶବ ପାଇଁ ଟଣାଓଟରା । ବାପା-ପୁଅ ଭିତରେ ତେଜିଲା କଳି । ପୁରୀ ବାସେଳି ସାହିର ମିଶ୍ର ସାହିରେ ରହୁଥିବା ସୁବାସିନୀଙ୍କୁ ମୃତ୍ୟୁ ପରେ ଏଭଳି ବିବାଦ ସୃଷ୍ଟି ହୋଇଛି । ଗତ ୪ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏନେଇ ପୁଅମାନଙ୍କୁ କୌଣସି ସୂଚନା ନଦେଇ ସ୍ତ୍ରୀର ମର ଶରୀରକୁ ଏକ ଘରୋଇ ହସ୍ପିଟାଲକୁ ଦାନ କରିଦେଇଥିଲେ ବାପା କାଳୀଚରଣ ମିଶ୍ର । ଏହାକୁ ନେଇ ପରିବାର ଭିତରେ ଆରମ୍ଭ ହୋଇଛି ବିବାଦ ।

ଗଂଜାମ ଜିଲ୍ଲା ଶେରଗଡ ଅଂଚଳରୁ ଆସି ଦୀର୍ଘ ୧୦ ବର୍ଷ ହେଲା ପୁରୀରେ ରହୁଥିଲେ କାଳୀ ଚରଣ ଓ ସୁବାସିନୀ । କିନ୍ତୁ ବିଭିନ୍ନ କାରଣରୁ ପୁଅ ଓ ବାପାଙ୍କ ଭିତରେ ବିବାଦ ଥିବା କୁହାଯାଉଛି । ଗତ ୪ ତାରିଖରେ ପତ୍ନୀର ମୃତ୍ୟୁ ପରେ କାହାରିକୁ କିଛି ନ ଜଣାଇ ଶବକୁ ଦାନ କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ । ମାଆର ଶବ ପାଇବା ପରେ ତାକୁ ସଂସ୍କାର କରି ନିଜ ଦାୟିତ୍ୱ ସଂପନ୍ନ କରିବାକୁ ଚାହାନ୍ତି ବୋଲି ପୁଅ ଦାବି କରିଛନ୍ତି ।

ତେବେ ମାଆର ଶବ ପାଇବା ପାଇଁ ଏବେ ଆଇନର ଦ୍ୱାରସ୍ଥ ହୋଇଛନ୍ତି ତିନି ପୁଅ । ଏନେଇ କିଛି କହିବାକୁ ମନା କରିଦେଇଛନ୍ତି ବାପା କାଳିଚରଣ ମିଶ୍ର ।