ମେକ୍ ଇନ୍ ଓଡିଶା କନକ୍ଲେଭ୍ : କାହାର ମନ ଛୋଟ ?

ପୁଂଜି ନିବେଶ ପାଇଁ ନିବେଶକଙ୍କୁ ସ୍ୱାଗତ କରିବାକୁ ଓଡିଶା ସରକାର ରେଡ୍ କାର୍ପେଟ୍ ବିଛାଉଥିବା ବେଳେ ଏହି ମେଗା ଇଭେଂଟକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

124

କନକ ବ୍ୟୁରୋ : ଭୁବନେଶ୍ୱରରେ ଆସନ୍ତା ୧୧ରୁ ୧୫ ତାରିଖ ଯାଏଁ ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ଏଥର କନକ୍ଲେଭରେ ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସହ ଦେଶର ବଡ ବଡ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୁଂଜି ନିବେଶ ପାଇଁ ନିବେଶକଙ୍କୁ ସ୍ୱାଗତ କରିବାକୁ ଓଡିଶା ସରକାର ରେଡ୍ କାର୍ପେଟ୍ ବିଛାଉଥିବା ବେଳେ ଏହି ମେଗା ଇଭେଂଟକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଆଉ ପ୍ରସଙ୍ଗ ହେଉଛି, ମେକ୍ ଇନ୍ ଓଡିଶାରେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ । ଶିଳ୍ପମନ୍ତ୍ରୀ କହିଛନ୍ତି, ଆମେ କେନ୍ଦ୍ରମନ୍ତ୍ରୀଙ୍କୁ ଡାକିଥାନ୍ତୁ କିନ୍ତୁ ସ୍ଥାନୀୟ ବିଜେପି ନେତା ବିରୋଧ କରୁଛନ୍ତି । ସେପଟେ ଓଡିଶା ବିଜେପି ପ୍ରଭାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ମନ ଛୋଟ ।

ଦିନକ ପରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ବ୍ୟାପକ ପୁଂଜି ନିବେଶ ଲକ୍ଷ୍ୟ ନେଇ ଓଡିଶା ଆସୁଥିବା ନିବେଶକଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଯାଉଛି । ହେଲେ ଏହି ମେଗା ଶିଳ୍ପ ମହାକୁମ୍ଭରେ ଏଥର ଯୋଗ ଦେଇନପାରନ୍ତି କୌଣସି କେନ୍ଦ୍ର ମନ୍ତ୍ରୀ । ଶିଳ୍ପମନ୍ତ୍ରୀ କହିଛନ୍ତି, ଆମେ କେନ୍ଦ୍ରମନ୍ତ୍ରୀଙ୍କୁ ଡାକିଥାନ୍ତୁ କିନ୍ତୁ ସ୍ଥାନୀୟ ବିଜେପି ନେତା ବିରୋଧ କରୁଛନ୍ତି ।

ଓଡିଶାରେ ଏହି ମେଗା କାର୍ଯ୍ୟକ୍ରମରେ ସାମିଲ ହେବାକୁ କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାନଯିବା ନେଇ ବିବାଦ ଉପୁଜିଛି । ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି, ରାଜ୍ୟ ସରକାରଙ୍କ ମନ ଛୋଟ । ବିକାଶ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଡକାଯାଉନି ତେଣୁ ଓଡିଶାର ବିକାଶରେ ବାଧା ଉପୁଜୁଛି । ଏପଟେ ରାଜ୍ୟରେ ରେଳବାଇ ବିକାଶକୁ ନେଇ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମକୁ ଟାର୍ଗେଟ୍ କରିଛି ରାଜ୍ୟ ବିଜେପି । ଦଳ କହିଛି, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା କନକ୍ଲେଭ୍ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ନିର୍ବାଚନୀ ଧୁଆଁବାଣ ।ମେକ ଇନ ଓଡିଶାର ସଫଳ ରୁପାୟନ ପାଇଁ ଓଡିଶା ସରକାର ଜୋରଦାର ପ୍ରସ୍ତୁତି ଚଲାଇଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।