କମିଛି ବନ୍ୟାପାଣି ! କଳାହାଣ୍ଡି ଓ ରାୟଗଡ଼ାରେ ରିଲିଫ୍ କାମ ତ୍ୱରାନ୍ୱିତ

21

କନକ ବ୍ୟୁରୋ: ନାଗାବଳୀ ଏବଂ କଲ୍ୟାଣୀ ନଦୀର ଜଳସ୍ରୋତ କମି କମି ଆସୁଛି । ଜନବସତି ଭିତରୁ ଦୂରକୁ ଚାଲି ଯାଇଛି ବନ୍ୟାଜଳ । ହେଲେ ବଢୁଛି ଲୋକଙ୍କ ସମସ୍ୟା । ବନ୍ୟା ବିଗାଡି ଦେଇଥିବା ଘରକୁ ସଜାଡିବାରେ ଲାଗିଛନ୍ତି କଲ୍ୟାଣସିଂହପୁରର ବନ୍ୟା ପ୍ରପୀଡ଼ିତ । ଆକାଶମାର୍ଗରୁ ଲୋକଙ୍କ ପାଖରେ ପହଂଚିଛି ରିଲିଫ୍ ସାମଗ୍ରୀ । ଅସ୍ଥାୟୀ ଆଶ୍ରୟସ୍ଥଳରେ ବନ୍ୟା ପୀଡ଼ିତଙ୍କୁ ଯୋଗଇ ଦିଆଯାଉଛି ରନ୍ଧା ସାମଗ୍ରୀ । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନ୍ୟା ମୁକାବିଲା ପାଇଁ ଜୋର ଲଗାଇ ଦେଇଛି ପ୍ରଶାସନ ।

ସେପଟେ ଧୀରେ ଧୀରେ କଳାହାଣ୍ଡିର ହାତୀ ନଦୀରେ କମୁଛି ବନ୍ୟା । ଏହା ସହ ନିୟନ୍ତ୍ରଣକୁ ଆସୁଛି ବନ୍ୟାସ୍ଥିତି । ହେଲେ ଥୁଆମୁଳ ରାମପୁର ବ୍ଲକରେ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ । ଯୋଗାଯୋଗ ବିଚ୍ଛନ୍ନ ହୋଇଥିବାରୁ ପ୍ରଶାସନ ଲୋକଙ୍କ ପାଖରେ ପହଂଚିବା ପାଇଁ ସଂଘର୍ଷ କରୁଛି । ଆଉ ଏହାରି ଭିତରେ ୧୫୦ ଜଣ ବୋଲବମ୍ ଭକ୍ତଙ୍କୁ ଉଦ୍ଧାର କରାଯାଇଛି । ଏପଟେ କଲମପୁର ଏବଂ ଜୁନାଗଡ଼ ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ସୁଧାର ଆସୁଛି ।

ଉଭୟ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ସ୍ଥିତି ଉପରେ ରହିଛି ସରକାରଙ୍କ ନଜର । ବନ୍ୟା ସ୍ଥିତିର ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲାର ୧୦ଟି ସ୍ଥାନରେ ହୋଇଛି ରନ୍ଧାଖାଦ୍ୟ ପାଇଁ ବ୍ୟବସ୍ଥା । ୧୦ ହଜାର ଲୋକଙ୍କୁ ଯୋଗାଇ ଦିଆଯାଉଛି ରନ୍ଧାଖାଦ୍ୟ । ଟ୍ୟାଙ୍କର ଜରିଆରେ ଲୋକଙ୍କ ପାଖକୁ ପଠାଯାଉଛି ପିଇବା ପାଣି । କଳହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ବାଲିଛଡ଼ା, ବିରିପୁର ଏବଂ କର୍ମେଲି ଗାଁରେ ଏବେ ଆଶ୍ରୟସ୍ଥଳରେ ରହିଛି ବନ୍ୟା ପ୍ରପୀଡ଼ିତ । ଥୁଆମୁଳ ରାମପୁରକୁ ଯୋଗଯୋଗ ବିଚ୍ଛିନ୍ନ ରହିଥିବାରୁ ପ୍ରଭାବିତ ହୋଇଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ । ତେବେ ଜୁନାଗଡ଼ ବ୍ଲକରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି ।