ନିଆଁ ନେଇଗଲା ୫ ଜୀବନ ! ଅଗ୍ନିକାଣ୍ଡ ଉଜାଡି ଦେଲା ବିଶିଷ୍ଟ ବ୍ୟବସାୟୀଙ୍କ ପରିବାର

40

କନକ ବ୍ୟୁରୋ : ରାଜଧାନୀର ପ୍ରତିଷ୍ଠିତ ବ୍ୟବସାୟୀ ତଥା ପାଲ ହାଇଟ୍ସର ମାଲିକ ସତପାଲ୍ ସିଂଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ସତପାଲଙ୍କ ପରିବାରର ୪ଜଣଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ସଟ୍ ସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଆଜି ସକାଳେ ବିଜୁଳି ବେଗରେ ସାରା ଭୁବନେଶ୍ୱରକୁ ବ୍ୟାପି ଯାଇଥିଲା ଏହି ଖବର । ଆଉ ସମସ୍ତଙ୍କ ମୁହଁରେ ଥିଲା – ଏମିତି ବି, କ’ଣ ଆସେ ମୃତ୍ୟୁ?

ସମୟ ଥିଲା ଭୋର ୩.୩୦ରୁ ୪ଟା ମଧ୍ୟରେ । ଆଉ ସ୍ଥାନ ଭୁବନେଶ୍ୱର, ଲକ୍ଷ୍ମୀସାଗର । କେହି କିଛି ବୁଝିବା ଆଗରୁ ଚାରିଆଡେ ବ୍ୟାପି ଯାଇଥିଲା ନିଆଁ ଓ ଧୂଆଁ । ପାଖ-ପଡ଼ୋଶୀ ଧାଇଁଥିଲେ ବୁଦ୍ଧେଶ୍ୱର କଲୋନୀରେ ଥିବା ସତପାଲ୍ ସିଂହଙ୍କ ଘରକୁ । ହେଲେ ସେତେବେଳକୁ ନିଆଁକୁ ଆୟତ କରିବା ଆଉ ତାଙ୍କ ପକ୍ଷେ ସମ୍ଭବ ନଥିଲା । ତୁରନ୍ତ ଖବର ଦିଆଗଲା ଅଗ୍ନିଶମ ବିଭାଗକୁ । ଆଉ ଅଗ୍ନିଶମ କର୍ମଚାରୀ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘର ଭିତରେ ଫଶିଥିବା ଲୋକଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେତେବେଳକୁ ଉଜୁଡ଼ି ଯାଇଥିଲା ହସଖୁସିର ଏକ ସୁନାର ପରିବାର ।

ପରିବାରର ହସଖୁସି ଏମିତି ଉଜୁଡି ଯିବ, ହୁଏତ କେବେ କଳ୍ପନା କରିଥିଲେ ପାଲ୍ ହାଇଟ୍ସର ମାଲିକ ସତପାଲ୍ ସିଂହ । ଆଖି ଆଗରେ ଚାଲିଗଲା୫ଟି ଜୀବନ-

ପୁଅ ଗଗନପାଲ ସିଂହ, ୩୯ ବର୍ଷ

ବୋହୂ ଭାବନା ସିଂହ, ୩୫ ବର୍ଷ

ନାତୁଣୀ ସୋହାବୀ ସିଂହ, ୧୨ ବର୍ଷ

ନାତି ରୁବିର ସଂହ, ୪ବର୍ଷ

ସହାୟିକା ଖୁସି ଦାସ, ୧୨ ବର୍ଷ

ଚାହୁଁଚାହୁଁ ଚାଲିଗଲା ୫ଟି ଜୀବନ । ସ୍ତବ୍ଧ ହୋଇଗଲା ପୁରା ପରିବାର ।

କେମିତି ଲାଗିଲା ନିଆଁ ? କେମିତି ଅଣାୟତ ହେଲା ଅଗ୍ନିକାଣ୍ଡ ?
ପ୍ରାଥମିକ ତଦନ୍ତରୁ ଯାହା ଆଶଙ୍କା କରାଯାଉଛି-ପ୍ରଥମ ମହଲାରେ ଥିବା ଠାକୁର ଘର ଏସିରୁ ସର୍ଟ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ଯାହା ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା । ଯେଉଁ ରୁମରେ ସବୁ ଦିନ ଭଳି କାଲିରାତିରେ ନିଶ୍ଚିନ୍ତରେ ଶୋଇଥିିଲେ ସତପାଲଙ୍କ ସାନପୁଅଙ୍କ ପରିବାର । ଘରର ସିଡି ଏବଂ କାନ୍ଥରେ କାଠକାମ ହୋଇଥିବାରୁ ନିଆଁ ଏତେ ଜଲଦି ଗୋଟିଏ ମହଲାରୁ ଆଉ ଗୋଟିଏ ମହଲାକୁ ବ୍ୟାପି ଯାଇଥିଲା । ଆଉ କୁହାଯାଉଛି-ଘରର କବାଟଗୁଡ଼ିକ ସେନ୍ସର ଦ୍ୱାରା ପରିଚାଳିତ ହେଉଥିବାରୁ ଖୋଲିବାରେ ସମସ୍ୟା ହୋଇଥିଲା ।

ଏବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ହେଉଛି । ପୁଲିସ, ଅଗ୍ନିଶମ ବିଭାଗ ଏବଂ ସାଇନ୍ଟିଫିକ୍ ଟିମ, ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି ।

ଏମିତି ବି ଆସେ ମୃତ୍ୟୁ । କେହି କିଛି ବୁଝିବା ଆଗରୁ, କେହି କିଛି କରିବା ଆଗରୁ ଆଖି ସାମ୍ନାରେ ଚାଲିଯାଏ ପ୍ରୀୟଜନଙ୍କ ଜୀବନ । ଯାହା ଘଟିଛି ଭୁବନେଶ୍ୱରର ପ୍ରତିଷ୍ଠିତ ବ୍ୟବସାୟୀ ସତପାଲ ସିଂହଙ୍କ ପରିବାରଙ୍କ କ୍ଷେତ୍ରରେ ।