ସରକାରଙ୍କ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ରାସ୍ତାରେ ବସିଲେ ଚାଷୀ, ମନାଇବା ପାଇଁ ଧାରଣାସ୍ଥଳରେ, ପହଁଚିଲେ ମନ୍ତ୍ରୀ ବିଧାୟକ

310

କନକ ବ୍ୟୁରୋ: ଟୋକନ୍ ବ୍ୟବସ୍ଥା ଉଛେଦ ଦାବିରେ ପଶ୍ଚିମ ଓଡିଶାରେ ଚାଷୀ ଆନ୍ଦୋଳନ ଜୋରଦାର । ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବି କରୁଥିବା ସମ୍ବଲପୁର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ସମ୍ବଲପୁରର ବରେଇପାଲିରେ ରାସ୍ତା ଉପରେ ଗାଡିରେ ଧାନବସ୍ତା ରଖି ଧାରଣା ଦେଇଛନ୍ତି ଚାଷୀ । ଡିଆଇଜିଙ୍କ ସହିତ ଆଲୋଚନା ଫେଲ୍ ମାରିବା ପରେ ସଂବଲପୁରରେ ଚାଷୀ ଆଜି ଦିନ ଗୋଟାଏ ସୁଦ୍ଧା ସରକାରଙ୍କୁ ଚୂଡାନ୍ତ ନିଷ୍ପତି ନେବାକୁ ସମୟ ଦେଇଥିଲେ । ଓଡିଶା କୃଷକ ସମନ୍ୱୟ ସମିତି ଆବାହକ ଅଶୋକ ପ୍ରଧାନ ଚେତାବନୀ ପରେ ତାଙ୍କ ଆହ୍ୱାନ କ୍ରମେ ଏବେ ଚାଷୀ ସମ୍ବଲପୁର ରାସ୍ତାକୁ ଓହ୍ଲାଇଛନ୍ତି । ଧାନ କିଣା ପ୍ରକ୍ରିୟାରୁ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଚାଷୀ ।

ସେପଟେ ଆନ୍ଦୋଳନରତ ଚାଷୀଙ୍କୁ ମନାଇବା ପାଇଁ ଆନ୍ଦୋଳନ ସ୍ଥଳରେ ପହଁଚିଛନ୍ତି ଶାସକ ଦଳ ଉପ-ମୁଖ୍ୟସଚେତକ ରୋହୀତ ପୂଜାରୀ । ଆଉ କହିଛନ୍ତି କି, ୩ ରୁ ୪ ଘଣ୍ଟା ମଧ୍ୟରେ ମିଳିବ ଟୋକନ୍ । ଚାଷୀଙ୍କ ସମସ୍ୟା ନେଇ ସଚିବ ଓ ମନ୍ତ୍ରୀଙ୍କ ସହ କଥା ହୋଇଛି । ଚାଷୀ ସଂଗଠନ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଖୁବଶୀଘ୍ର ଏନେଇ ବିଚାରବିମର୍ଶ କରାଯିବ । ସେପଟେ ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ବରଗଡରେ ବି ତାତିଛନ୍ତି ଚାଷୀ । ଗୋଡଭଗାରେ ରାସ୍ତା ଉପରକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ଚାଷୀ । ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀ ସଙ୍ଗଠନ ପ୍ରତିବାଦ କରୁଛନ୍ତି ।