ଭଡାରେ ଲାଗିଛି ବିଦ୍ୟାଳୟ ନୂଆ କୋଠା । ଭଙ୍ଗା ଦଦରା ଘରେ ବସି ପାଠପଢୁଛନ୍ତି ଛାତ୍ରଛାତ୍ରୀ, ହେଲେ ଅଜଣା ପ୍ରଶାସନ ।

385

କନକ ବ୍ୟୁରୋ : ଭଡାରେ ଲାଗିଛି ବିଦ୍ୟାଳୟ ନୂଆ କୋଠା । ଭଙ୍ଗା ଦଦରା ଘରେ ବସି ପାଠପଢୁଛନ୍ତି ଛାତ୍ରଛାତ୍ରୀ । ହେଲେ ଏନେଇ ଅଜଣା ଜିଲ୍ଲା ପ୍ରଶାସନ । ମୁନିଗୁଡା ମଧୁମୁଣ୍ଡା ଉନ୍ନିତ ବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।

ଭଡ଼ାରେ ଲାଗିଛି ନୂଆ କୋଠା । ପିଲାଏ ବସୁଛନ୍ତି ଭଙ୍ଗା ଘରେ । ବିଦ୍ୟାଳୟର ନୂଆ କୋଠା ଅଛି । କିନ୍ତୁ ଭଙ୍ଗା ଘରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପିଲାଏ ବସିଥିବା ଘରର ଛାତରୁ ସିମେଂଟ ଅତଡା ଖସି ରଡ୍ ଦେଖାଯାଉଛି । ଏପଟେ ନୂଆ ଘରକୁ ଭଡାରେ ନେଇଛି ଏକ ଠିକା ସଂସ୍ଥା । ଏହି ଘଟଣାଟି ହେଉଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମଧୁମୁଣ୍ଡା ଉନ୍ନିତ ବିଦ୍ୟାଳୟର । ସ୍କୁଲରେ ୧୦ଟି ଶ୍ରେଣୀର ଛାତ୍ରଛାତ୍ରୀ ୬ଟି ଘରେ ବସି ପାଠ ପଢୁଛନ୍ତି ।

୩ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଘରେ ବସି ପାଠପଢୁଥିବା ବେଳେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ନୂଆ କୋଠା ତିଆରି ହୋଇଛି । ହେଲେ ପ୍ରଶାସନିକ ଖାମଖିଆଲି ନୀତି ଯୋଗୁଁ ସେହି କୋଠା ଏବେ ଜଣେ ବ୍ୟକ୍ତିଙ୍କ ଜବରଦଖଲରେ । କୋଠାଟି ନିଜ ଜମିରେ ତିଆରି ହୋଇଥିବା ଦାବି କରି ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଏକ ଠିକା ସଂସ୍ଥାକୁ ଭଡାରେ ଦେଇଦେଇଛି । ହେଲେ ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପାଖରେ କୌଣସି ଖବର ନାହିଁ । ଆଦିବାସୀ ଅଂଚଳରେ ସରକାରୀ ବିଦ୍ୟାଳୟ କୋଠାକୁ ବେସରକାରୀ ଲୋକ ଜବରଦଖଲ କରି ରଖିଥିବା ବେଳେ ଏନେଇ ପ୍ରଶାସନ ପାଖରେ ଖବର ନଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।