ଡୋନାଲଡ୍ ଟ୍ରମ୍ପ୍ ଆମେରିକାର ପରବର୍ତୀ ରାଷ୍ଟ୍ରପତି : କହିଲେ, ଏ ବିଜୟ ଆମେରିକାକୁ ଭଲ ପାଉଥିବା ବ୍ୟକ୍ତିଙ୍କର

16

କନକ ବ୍ୟୁରୋ : ଡୋନାଲଡ୍ ଟ୍ରମ୍ପ୍ ହେଲେ ଆମେରିକାର ପରବର୍ତୀ ରାଷ୍ଟ୍ରପତି । ୨୭୬ ଭୋଟ୍ ସହ ଡେମୋକ୍ରାଟ୍ ପ୍ରାର୍ଥୀ ହିଲାରି କ୍ଲିଂଟନକୁ ପଛରେ ପକାଇ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ୍ । ଏହି ବିଜୟ ସହ ୭୦ ବର୍ଷ ବୟସ୍କ ଟ୍ରମ୍ପ୍ ଆମେରିକାର ୪୫ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ଆସିବା ପରେ ଫୋନ୍ କରି ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି ହିଲାରୀ କ୍ଲିଂଟନ୍ ।

ବିଜୟ ଲାଭ ପରେ ନ୍ୟୁୟର୍କରୁ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ୍ । ଏହି ବିଜୟ ଆମେରିକାକୁ ଭଲପାଉଥିବା ବ୍ୟକ୍ତିଙ୍କର ବୋଲି ସେ କହିଛନ୍ତି । ବିଜୟ ପରେ ହିଲାରୀ ମୋତେ ଫୋନ୍ କରିଥିଲେ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ୍ । ନିର୍ବାଚନ ପ୍ରଚାର ଆମ ପାଇଁ କେବଳ ଏକ ଅଭିଯାନ ଥିଲା ବୋଲି ସେ କହିଛନ୍ତି ।

ମୁଁ ଏବେ ଆମେରିକାବାସୀଙ୍କ ରାଷ୍ଟ୍ରପତି । ଏବେ ସମସ୍ତେ ଏକଜୁଟ୍ ହେବାର ସମୟ ଆସିଛି । ଆମେରିକାର ପୁନଃନିର୍ମାଣ କରାଯିବ । ଆମେ ସମସ୍ତେ ମିଶି ଆମେରିକାର ସ୍ୱପ୍ନ ପୂରଣ କରିବା । ବିକାଶକୁ ଦ୍ୱିଗୁଣିତ କରିବାକୁ ପ୍ରୟାସ କରିବା ସହ ଅନ୍ୟ ରାଷ୍ଟ୍ରମାନଙ୍କର ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ୍  କହିଛନ୍ତି ।