ଦ୍ୱିତୀୟ ଭଗବାନ କମ୍ପାନୀ ଏଜେଣ୍ଟ ! ଭିଜିଲାନ୍ସ ତନାଘନା ପରେ ପଦାରେ ପଡିଲା ଡାକ୍ତର-କମ୍ପାନୀ ଲିଙ୍କ । କୁବେର ଡାକ୍ତରଙ୍କ କାହାଣୀ

39

କନକ ବ୍ୟୁରୋ : ଡାକ୍ତର ସାଜିଥିଲେ କମ୍ପାନୀ ଏଜେଣ୍ଟ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏସସିବି ମେଡିକାଲ ହେମାଟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ରବିନ୍ଦ୍ର କୁମାର ଜେନାଙ୍କୁ ପଚରାଉଚରା ଜାରି ରଖିଛି ଭିଜିଲାନ୍ସ । ଏପର୍ଯ୍ୟନ୍ତ ରବିନ୍ଦ୍ରଙ୍କ ଠାରୁ ୩ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଠାବ କରାଗଲାଣି । ରୋଗୀଙ୍କୁ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ମେଡିସିନ ଲେଖି ସଂପୃକ୍ତ କମ୍ପାନୀର ଅନୁକମ୍ପା ସ୍ୱରୁପ ପ୍ରଚୁର ଅର୍ଥ ପାଉଥିଲେ ଡାକ୍ତର ରବିନ୍ଦ୍ର ଜେନା ।

doctorଡାକ୍ତର ରବିନ୍ଦ୍ର କୁମାର ଜେନା । ଏସସିବି ମେଡିକାଲ୍ ହେମାଟୋଲୋଜି ବିଭାଗ ମୁଖ୍ୟ । ଭିଜିଲାନ୍ସ ଜାଲରେ ପଡିଥିବା ଏହି ଡାକ୍ତରଙ୍କଠାରୁ ଏଯାଏଁ ୩ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ମିଳିଲାଣି । ତେବେ ଡାକ୍ତରବାବୁ ଏତେ ଟଙ୍କା ଆଣିଲେ କେଉଁଠୁ? କେମିତି ବନିଲେ କୋଟିପତି? କୋଟି କୋଟି ଟଙ୍କା ରୋଜଗାରର ଉତ୍ସ କଣ? ଏହାର ପୂରା ଗୁମର ଏବେ ଖୋଲିବାରେ ଲାଗିଛି ।

ଭିଜିଲାନ୍ସକୁ ମିଳିଥିବା ଅଭିଯୋଗ ମୁତାବକ, ରୋଗୀଙ୍କୁ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ମେଡିସିନ୍ ଲେଖୁଥିଲେ ଡାକ୍ତର ରବିନ୍ଦ୍ର କୁମାର ଜେନା । ଆଉ ସେହି ଫାର୍ମା କମ୍ପାନୀଙ୍କ ସହ ଥିଲା ଡାକ୍ତରଙ୍କ ଘନିଷ୍ଠ ସମ୍ପର୍କ । ଅଭିଯୋଗ ଅନୁସାରେ ରୋଗୀଙ୍କୁ ଅନ୍ୟ କମ୍ପାନୀର ଔଷଧ ଦରକାର ପଡୁଥିଲେ ମଧ୍ୟ ଡାକ୍ତର ରବିନ୍ଦ୍ର ଜେନା କିନ୍ତୁ କେବଳ ସେହି କମ୍ପାନୀର ମେଡିସିନ୍ ହିଁ ପ୍ରେସକ୍ରାଇବ୍ କରନ୍ତି । ଏହାର କାରଣ ଯେ କେହି ବି ସହଜରେ ଅନୁମାନ କରିପାରିବେ । କାରଣ ବଦଳରେ ମିଳୁଥିଲା ପ୍ରଚୁର ପରିମାଣର ଟଙ୍କା । ମେଡିକାଲ୍ ପରିସରରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ଦୋକାନରେ ବି ମିଳୁଥିଲା ଡାକ୍ତରଙ୍କ କୁହାଯାଇଥିବା ମେଡିସିନ୍ ।

ଏଥିସହ ବଡ ମେଡିକାଲ୍ ପାଖରେ ଡାକ୍ତର ଜେନାଙ୍କର ନିଜସ୍ୱ ଏକ କ୍ଲିନିକ୍ ବି ରହିଛି । ରୋଗୀଙ୍କୁ ପରୀକ୍ଷା ପାଇଁ ଏହି ଡାକ୍ତର ପଠାଇଦିଅନ୍ତି ନିଜ କ୍ଲିନିକକୁ । ପରୀକ୍ଷା ପାଇଁ ଚଢା ଦର ବି ନିଆଯାଏ । ବିଚରା ରୋଗୀ ପାଖରେ ବିକଳ୍ପ ବି ନାହିଁ । କାରଣ ଡାକ୍ତର ବାବୁ କହିଛନ୍ତି, କେବଳ ସେହି କ୍ଲିନିକରେ ହିଁ ପରୀକ୍ଷା କରିବା ପାଇଁ । ଦ୍ୱିତୀୟ ଭଗବାନ ଭାବେ ଲୋକେ ଡାକ୍ତରଙ୍କୁ ବିଶ୍ୱାସ କରନ୍ତି । କିନ୍ତୁ ଏଭଳି କିଛି ଡାକ୍ତରଙ୍କ ପାଇଁ ଲୋକଙ୍କର ଡାକ୍ତରଙ୍କ ଉପରୁ ଭରଷା ଉଠି ଯାଉଛି ।