ଡାକ୍ତର ଦେଖାଇଲେ ବଡପଣିଆ ! କାନ୍ଧରେ ବୋହି ଗର୍ଭବତୀ ରୋଗୀଙ୍କୁ ପାରି କରାଇଲେ ନାଳ

60

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ସାମନାକୁ ଆସିଛି ଏକ ଏପରି ଖବର ଯାହା ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ଦୁର୍ଗମ ଅଂଚଳ ସାରିଗେଟା ଗାଁରେ ପ୍ରସବ ଯନ୍ତ୍ରଣାରେ ଜଣେ ମହିଳା ଛଟପଟ ହେଉଥିବା ଖବର ପାଇଥିଲେ ସମ୍ବାଦ ପ୍ରତିନିଧି ଜିତେନ୍ଦ୍ର ରାଉତ । ଆଉ ଘଟଣାସ୍ଥଳରୁ ଖବର ସଂଗ୍ରହ ପାଇଁ ଯିବା ବେଳେ ବାଟରେ ପଡୁଥିବା ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଓ ଆଟେଣ୍ଡାଂଟଙ୍କୁ ବି ନେଇ ଯାଇଥିଲେ ସାଙ୍ଗରେ । ତେବେ ମହିଳାଙ୍କ ପ୍ରସବ କରାଇବା ପରେ ଅବସ୍ଥା ଆହୁରି ଖରାପ ହୋଇ ପଡୁଥିଲା । ଆଉ ଡାକ୍ତରଖାନା ନେବାକୁ ଲୋକ ନ ମିଳିବାରୁ ଭାର କାଂଧେଇ ବାହାରି ପଡିଥିଲେ ନିଜେ ଡାକ୍ତରବାବୁ ।

ବେକରେ ପଡିଛି ଷ୍ଟେଥୋସ୍କୋପ୍ । ହେଲେ କାନ୍ଧ ଉପରେ ରହିଛି ବାଉଁଶ ଭାର । ଯେଉଁ ଭାରରେ ବୁହା ହେଉଛନ୍ତି ଜଣେ ପ୍ରସୂତି ମହିଳା । ଆଉ ପଥୁରିଆ ରାସ୍ତାରେ ନଈ ନାଳ ଅତିକ୍ରମ କରି ଆଗକୁ ମାଡି ଚାଲିଛନ୍ତି ଡାକ୍ତରବାବୁ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ କୁର୍ମାନୁର ପଂଚାୟତରେ ।  ବଣ ପାହାଡ ଘେରା ଦୁର୍ଗମ ଅଂଚଳ ସାରିଗେଟା ଗାଁରେ ପ୍ରସବ ବେଦନାରେ ଛଟପଟ ହେଉଥିଲେ ମହିଳା ଜଣକ । ଆଉ ଖବର ପାଇ ପାପଲୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସହ ଜଣେ ଆଟେଣ୍ଡାଂଟଙ୍କୁ ନେଇ ଅପହଂଚ ଗାଁରେ ପହଂଚିଥିଲେ ସମ୍ବାଦ ପ୍ରତିନିଧି ।

ଏଥର ନିଜ କାମ ଆରମ୍ଭ କରି ଦେଇଥିଲେ ଡାକ୍ତର ଓମକାର ହୋତା । ଗର୍ଭବତୀଙ୍କ ରକ୍ତଚାପ କମିବା ସହ ଅତ୍ୟଧିକ ରକ୍ତସ୍ରାବ ଦେଖି ତୁରନ୍ତ ପ୍ରସବ କରାଇଥିଲେ । ହେଲେ ପ୍ରସୂତିଙ୍କ ଅବସ୍ଥା ଖରାପ ହେଉଥିବାରୁ ତୁରନ୍ତ ଡାକ୍ତରଖାନା ନେବାର ଆବଶ୍ୟକ ଥିଲା । କିନ୍ତୁ ଭାର କାଂଧେଇ ଡାକ୍ତରଖାନା ଯିବାକୁ ଗାଁ ଲୋକେ ଅମଙ୍ଗ ହେବାରୁ ଆଗେଇ ଆସିଥିଲେ ନିଜେ ଡାକ୍ତରବାବୁ । ପ୍ରସୂତିଙ୍କ ସ୍ୱାମୀଙ୍କ ସହ ଭାର ବୋହି ବାହାରି ପଡିଥିଲେ ଡାକ୍ତରଖାନା ଅଭିମୁଖେ । ରାସ୍ତାଘାଟ ସୁବିଧା ନଥିବାରୁ ପାହାଡିଆ ରାସ୍ତାରେ ପାଦରେ ଚାଲିଥିଲେ ଦୀର୍ଘ ୮ କିଲୋମିଟର । ଆଉ ପାପଲୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିବା ପରେ ପ୍ରସୂତି ଓ ନବଜାତକଙ୍କୁ କରିଥିଲେ ଚିକିତ୍ସା । ବର୍ତମାନ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ହେବା ପରେ ସଫଳ ହୋଇଛି ଡାକ୍ତରବାବୁଙ୍କ ପରିଶ୍ରମ ।