୨୦୧୫ର ସାନନ୍ଦ କଠାର ଆତ୍ମହତ୍ୟା ଘଟଣାକୁ ଭୁଲିଗଲେ ସରକାର ! ରାହୁଲ ଗାନ୍ଧି ବି ଦେଇଥିଲେ ଅନେକ ପ୍ରତିଶ୍ରୁତି, ହେଲେ ପରିସ୍ଥିତି ଯେମିତିକୁ ସେମିତି

40

କନକ ବ୍ୟୁରୋ : ସେପ୍ଟେମ୍ବର ୨୦୧୫ । ବରଗଡ଼ର ଦେବାହାଲ ଗାଁ । ଠିକ୍ ଆଜିର ଦିନ ଭଳି ସେହି ବରଗଡ଼ ଜିଲ୍ଲାରୁ ଆସିଥିଲା ଚାଷୀ ଆତ୍ମହତ୍ୟାର ଖବର । ଦେବବାହାଲ ଗାଁର ସାନନ୍ଦ କଠାରଙ୍କ ଆତ୍ମହତ୍ୟା ପରେ ତାଙ୍କ ଘରେ ଲାଗିଥିଲା ରାଜନେତାଙ୍କ ଲମ୍ବା ଲାଇନ୍ । ସହାନୁଭୂତି ଓ ପ୍ରତିଶ୍ରୁତିର ପୁଟୁଳି ଧରି ଦିଲ୍ଲୀରୁ ଧାଇଁ ଆସିଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ।

ସେ ଦିନ ଆଉ ଆଜିର ଦିନ ଭିତରେ ବିତି ଯାଇଛି ଦୁଇ ବର୍ଷ । ଦୁଇ ବର୍ଷ ପରେ କେମିତି ଅଛନ୍ତି ସାନନ୍ଦ କଠାରଙ୍କ ପରିବାର । ସ୍ଥିତି ପରଖିବା ପାଇଁ ଦେବାହାଲ ଗାଁରେ ପହଂଚିଥିଲେ ଆମ ଇନପୁଟ୍ ଏଡିଟର । ସେସମୟରେ ଦିଆଯାଇଥିବା ବଡ ବଡ ପ୍ରତିଶ୍ରୁତି କେମିତି, ଧୂଆଁ ବାଣ ପାଲଟି ଯାଇଥିଲା, ତାହା ସାମ୍ନାକୁ ଆସିଥିଲା । ଆଇଟିଆଇ ପାଠ ସାରିବା ପରେ ସାନନ୍ଦ ପୁଅ ଏବେ ଦାଦନ । ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁ ଦିନରାତି ଖଟୁଛନ୍ତି । ଆଉ ଏପଟେ ଯେଉଁ ଅଳ୍ପ ଜମି ରହିଛି, ସାହାସ ଜୁଟାଇ ଧାନ ଚାଷ କରିଥିଲେ ପରିବାର ଲୋକ । ହେଲେ ଚକଡ଼ା ପୋକରେ ତାହାବି ଉଜୁଡି ଯାଇଛି ।

ବରଗଡ଼ରୁ ଭୁବନେଶ୍ୱର, ଚାଷୀ ଆତ୍ମହତ୍ୟା ଖବର ଆସିଲେ ଏମିତି ରାଜନେତାମାନେ ବୟାନବାଜି କରନ୍ତି । ସହାନୁଭୂତି ଏବଂ ପ୍ରତିଶ୍ରୁତି ଦେଇ ହୃଦୟ ଜିଣିବାକୁ ଚେଷ୍ଟାକରନ୍ତି । ହେଲେ ସମୟ ଗଡିଗଲେ କ’ଣ ହୁଏ ପରବର୍ତ୍ତୀ ସ୍ଥିତି, ତାହା କଠାର ପରିବାରଙ୍କ ଏହି କାହାଣୀ ହିଁ ବୟାନ କରୁଛି ।