ସମ୍ବର୍ଦ୍ଧନା ସଭାରେ ମିଶନ ୧୨୦କୁ ସଫଳ କରିବାର ମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ । କହିଲେ, ଟାର୍ଗେଟ ପୂରଣ ନ ହେବା ଯାଏଁ ଦାୟିତ୍ୱରୁ ହଟିପାରିବନି ବିଜେପି ।

253

କନକ ବ୍ୟୁରୋ : ୨୦୧୯ରେ ହେଲାନାହିଁ,୨୦୨୪ରେ ପୂରଣ ହେବ ବିଜେପିର ମିଶନ ୧୨୦ । ୨୦୧୯ ନିର୍ବାଚନରେ ବିଜେପିର ମିଶନ ୧୨୦ ସ୍ୱପ୍ନ ଭାଙ୍ଗି ଯାଇଥିଲେ ମଧ୍ୟ ଏହାକୁ ପୁଣିଥରେ ତାଜା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ସମ୍ବର୍ଦ୍ଧନା ସଭାରେ ପୁଣିଥରେ କର୍ମୀଙ୍କ କାନରେ ମିଶନ ୧୨୦କୁ ସଫଳ କରିବାର ମନ୍ତ୍ର ଫୁଙ୍କିଛନ୍ତି ଧର୍ମେନ୍ଦ୍ର ।

୨୦୧୯ରେ ବିଜେପିର ଭୋଟ ହାର ବଢିବା ସହ ବିଧାନସଭାରେ ବିରୋଧୀ ଦଳ ଆସନ ହାତେଇଛି । ୨୦୧୯ରେ ବିରୋଧୀ ଦଳ ଆସନରେ ବସିଥିବା ବିଜେପି କିନ୍ତୁ ଏବେ ଚୁପ ବସିବ ନାହିଁ । ୨୦୨୪ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ସମ୍ବର୍ଦ୍ଧନା ସଭାରୁ ଏଭଳି କିଛି ସଂକେତ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ମିଶନ ୧୨୦ କୁଆଡେ ଗଲା ବୋଲି ଯେଉଁମାନେ କହୁଥିଲେ ସେମାନଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର ମାରିଛନ୍ତି ତେରଛା ବାଣ । ୨୦୧୯ରେ ବିଜେପିର ଭୋଟ ହାର ଆଶ୍ଚର୍ଯ୍ୟଜନକ ଭାବେ ବଢିଛି । ଏପରିକି ଦଳ ୩ ନମ୍ବର ସ୍ଥାନ ପରିତ୍ୟାଗ ଏବେ ବିରୋଧୀ ଦଳ ଆସନରେ ବସିଛି । କିନ୍ତୁ ଅଧୁରା ଥିବା ମିଶନ ୧୨୦କୁ ଦଳ ଏଯାଏଁ ଭୁଲିନାହିଁ । ଯେଉଁ ପର୍ଯ୍ୟନ୍ତ ମିଶନ ୧୨୦ ପୂରା ହୋଇନାହିଁ ସେ ପର୍ଯ୍ୟନ୍ତ ବିଜେପି ଏହି ଦାୟିତ୍ୱରୁ ମୁକ୍ତ ହୋଇପାରିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ମିଶନ ୧୨୦କୁ ପୂରା କରିବାକୁ ପ୍ରତିଶୃତି ଦେବା ସହ ନାଁ ନ ନେଇ ବିଜେଡି ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ଯେଉଁମାନେ ୨୧ରୁ ୨୧ ଆସନରେ ବିଜୟୀ ହୋଇ ଦିଲ୍ଲୀ କ୍ଷମତା ଡୋରିର ଚାବିକାଠି ଧରିବାକୁ ସ୍ୱପ୍ନ ଦେଖୁଥିଲେ ସେମାନଙ୍କୁ ରାଜ୍ୟବାସୀ ଉପଯୁକ୍ତ ଜବାବ ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏବେ ବିଜେପି ସହ ରାଜ୍ୟର ସବୁ ବର୍ଗର ଲୋକ ଯୋଡି ହୋଇଛନ୍ତି । ଯାହାର ଝଲକ ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିକୁ ଭୋଟ ଦେବାସହ ୮ ସାଂସଦଙ୍କୁ ଦିଲ୍ଲୀ ପଠାଇଛନ୍ତି ରାଜ୍ୟବାସୀ । ବିଜେପି କେବଳ ଜନତାଙ୍କ ବିଶ୍ୱାସ ଓ ଭରସା ଜିତିନାହିଁ ବରଂ ରାଜ୍ୟବାସୀଙ୍କ ପ୍ରତି ଦଳର ଦାୟିତ୍ୱ ମଧ୍ୟ ବଢିଛି ।

ଗୋଟିଏ ପଟେ ମିଶନ ୧୨୦ ଓ ଅନ୍ୟପଟେ ବିଜେଡିକୁ ଟାର୍ଗେଟ । ଆଉ ଏଭଳି ଗରମାଗରମ ମାହୋଲ ମଧ୍ୟରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ଧର୍ମେନ୍ଦ୍ର । ଶପଥ ଗ୍ରହଣ ଉତ୍ସବରେ ପ୍ରତାପଙ୍କ ପାଇଁ ମୋଦିଙ୍କ ପରେ ସବୁଠୁ ଅଧିକ ତାଳି ବାଜିଥିଲା । ଏହା ପ୍ରତାପ ନନାଙ୍କର ସମ୍ମାନ ନୁହେଁ ଏହା ପୂରା ରାଜ୍ୟବାସୀଙ୍କ ପାଇଁ ସମ୍ମାନ । ପ୍ରତାପ ଯେଉଁ ବିନମ୍ରତା ଦେଖାଇଥିଲେ ତାହାର ଫଳ ଥିଲା ଜନତାଙ୍କ ତାଳିମାଡ । ସମ୍ବର୍ଦ୍ଧନା ସଭାରେ ଧର୍ମେନ୍ଦ୍ରଙ୍କ ଏହି ବୟାନ କେବଳ ବିଜେପି କର୍ମୀଙ୍କ ମନରେ ଜୋଶ ଭରିନଥିଲା ବରଂ ମୋଦିଙ୍କ ଫୋକସରେ ଓଡିଶା ରହିଥିବା ସ୍ପଷ୍ଟ ଦର୍ଶାଇଥିଲା ।