ମୋଦିଙ୍କୁ ମାଳଦ୍ୱୀପର ସର୍ବୋଚ୍ଚ ନାଗରିକ ସମ୍ମାନ । ‘ନିଶାନ ଇଜୁଦ୍ଦିନ’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି । ମୋଦି କହିଲେ, ଏହି ସମ୍ମାନ ତାଙ୍କ ପାଇଁ ଗୌରବର ପ୍ରତୀକ ।

120

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋହଲି ସେହି ଦେଶର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦିନ’ ସମ୍ମାନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବା ପରେ ମାଳଦ୍ୱୀପରେ ସଂସଦକୁ ସମ୍ବୋଧିତ କରିଛନ୍ତି ମୋଦି । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବିଦେଶ ଗସ୍ତରେ ଯାଇଛନ୍ତି ମୋଦି ।

ମାଳଦ୍ୱୀପର ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ସମ୍ମାନ ତାଙ୍କ ପାଇଁ ଗୌରବର ପ୍ରତୀକ । ମାଳଦ୍ୱୀପ ସହିତ ଭାରତର ସୁ-ସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ସୁ-ସଂପର୍କ ରଖିବା ପାଇଁ ସେ ପ୍ରତିବଦ୍ଧ । ମାଳଦ୍ୱୀପରେ କେତେକ ପ୍ରୋଜେକ୍ଟ ଭାରତ ସହଯୋଗରେ ଚାଲିଛି । ଉଭୟ ଦେଶର ଲୋକ ବିକାଶ ପଥରେ ଚାଲୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଗସ୍ତକାଳରେ ମୋଦି ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ଏକ କ୍ରିକେଟ୍ ବ୍ୟାଟ୍ ଉପହାର ଦେଇଛନ୍ତି । ଏଥିରେ ବିଶ୍ୱକପ୍ ଖେଳୁଥିବା ଭାରତୀୟ କ୍ରିକେଟ ଦଳର ସବୁ ଖେଳାଳିଙ୍କ ହସ୍ତାକ୍ଷର ରହିଛି ।

ଟ୍ୱିଟ୍ କରି ମୋଦି କହିଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି, କ୍ରିକେଟର ଜଣେ ଜବରଦସ୍ତ ଫ୍ୟାନ୍ । ତେଣୁ ସେ ତାଙ୍କୁ ଏହି ଉପହାର ଦେଇଛନ୍ତି । ମାଳଦ୍ୱୀପରେ ପହଂଚିବା ପରେ ମୋଦିଙ୍କୁ ରେଡ୍ କାର୍ପେଟ୍ ସମ୍ବର୍ଦ୍ଧନା ଦିଆଯାଇଥିଲା । ମାଳଦ୍ୱୀପରେ ପହଂଚିବା ପରେ ସେଠାରେ ରିପବ୍ଲିକ୍ ସ୍କୋୟାରରେ ରାଷ୍ଟପତି ଇବ୍ରାହିମ୍ ମୋହମ୍ମଦ ସୋଲିହଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି । ଆସନ୍ତାକାଲି ମାଳଦ୍ୱୀପରୁ ମୋଦି ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।