ଚିଲିକା ବାଇଧର ମୁହାଣରେ ବିରାଟକାୟ ତିମିର ମୃତଦେହ : ୩୦ଫୁଟ ଲମ୍ବ , ଓଜନ ୧୦ଟନରୁ ଅଧିକ

220

ଚିଲିକା : ଚିଲିକା ବାଇଧର ମୁହାଣରେ ବିରାଟକାୟ ତିମିର ଗଳିତ ମୃତଦେହ ଉଦ୍ଧାର । ଗତକାଲି ସଂଧ୍ୟାରେ ବାଇଧର ମୁହାଣରେ ତିମିର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ ମତ୍ସଜୀବୀ । ଏନେଇ ବନବିଭାଗକୁ ଖବର ଦେବା ପରେ ଆଜି ସକାଳୁ ବନବିଭାଗ କର୍ମଚାରୀ ପହଂଚିଛନ୍ତି । ପୋଷ୍ଟ ମର୍ଟମ ପାଇଁ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଂଚିଛନ୍ତି । ତେବେ କେଉଁ କାରଣରୁ ଏହି ବିରାଟକାୟ ତିମିର ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ମୃତ ତିମିର ଲମ୍ବ ୩୦ଫୁଟରୁ ଅଧିକ ହୋଇଥିବା ବେଳ ଓଜନ ୧୦ଟନରୁ ଅଧିକ ବୋଲି ଜଣାପଡିଛି । ଏହା ପ୍ରଶାନ୍ତ ମହାସାଗରୀୟ ବିରଳ ତିମି ବୋଲି ସାତପଡା ରେଂଜ ଅଧିକାରୀ ସୂଚନା ଦେଇଛନ୍ତି । ତିମିକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି ଜମିଛି ।

ଗତ ଫେବୃୟାରୀ ୧୬ରେ ମଧ୍ୟ ହରଚଣ୍ଡୀ ମୁହାଣରୁ ତିମିର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାସହ ପୁରୀ ମଙ୍ଗଳାନଦୀ ମୁହାଣରୁ ୨ଟି ତିମିର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ବାରମ୍ବାର ଏପରି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।