ହକି ବିଶ୍ବକପ୍ ପାଇଁ ପ୍ରସ୍ତୁତି ! ୨୬ରୁ ହୋଟେଲ ଗୁଡ଼ିକରେ ନିମୟିତ ଯାଞ୍ଚ ହେବ ଖାଦ୍ୟ

94

କନକ ବ୍ୟୁରୋ : ହକି ବିଶ୍ବକପ୍ ପାଇଁ ଦେଶ ତଥା ଦେଶ ବାହାରୁ ଶହ ଶହ ଅତିଥି ଆସୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଆତିଥ୍ୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତାରକା ହୋଟେଲରେ ଖେଳାଳି ଓ ସେମାନଙ୍କ ସହ ଆସିବାକୁ ଥିବା ସପୋର୍ଟ ଷ୍ଟାଫ୍‌ଙ୍କ ସମେତ ପର୍ଯ୍ୟଟକଙ୍କୁ ଯେପରି ନିମ୍ନମାନର ଖାଦ୍ୟ ଖାଇବାକୁ ନ ପଡ଼େ ସେଥିପାଇଁ ହୋଟେଲରେ ଯାଞ୍ଚ ହେବ । ଆସନ୍ତା ୨୬ତାରିଖରୁ ନିୟମିତଭାବେ ବିଶ୍ବକପ ଶେଷ ହେବା ପର୍ଯ୍ୟନ୍ତ ଯାଞ୍ଚ କରାଯିବ । ବିଶ୍ବକପ୍ ହକି ସମୟରେ ହୋଟେଲ ଓ ଠେଲା ବ୍ୟବସାୟୀଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଖାଦ୍ୟର ଯାଞ୍ଚ ଜାରି ରହିଛି । ଖେଳାଳି ରହୁଥିବା ୮ଟି ହୋଟେଲ ଓ ସପୋର୍ଟ ଷ୍ଟାଫ୍ ଓ ଅନ୍ୟମାନେ ରହିବାକୁ ଥିବା ୧୦ଟି ହୋଟେଲରେ ଯାଞ୍ଚ ହୋଇଛି ।

ତେବେ ଆସନ୍ତା ୨୬ତାରିଖରୁ ନିୟମିତଭାବେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ଉଭୟ ତାରକା ହୋଟେଲ ଓ ଛୋଟ ବ୍ୟବସ୍ଥା ରହିଛନ୍ତି । ବିଏମ୍‌ସିର ଜଣେ ଏଫ୍‌ଏସ୍‌ଓ ଓ ଖାଦ୍ୟ ସୁରକ୍ଷାର ଜଣେ ଏଫ୍ଏସ୍‌ଓଙ୍କୁ ମିଶାଇ ରାଜଧାନୀରେ ୨ଜଣ ଏଫ୍‌ଏସ୍‌ଓ ରହିଛି । ତେବେ ୨ଜଣଙ୍କୁ ନେଇ ନିୟମିତ ଖାଦ୍ୟ ଯାଞ୍ଚ ସମ୍ଭବ ନ ଥିବାରୁ ରାଜ୍ୟର ଅନ୍ୟ ଜିଲ୍ଲାରୁ ୬ଜଣ ଏଫ୍‌ଏସ୍‌ଓଙ୍କୁ ସ୍ବତନ୍ତ୍ରଭାବେ ନିଯୁକ୍ତ କରାଯାଇଛି। ଫଳରେ ୮ଜଣ ଏଫ୍‌ଏସ୍‌ଓ ବିଭିନ୍ନ ଜୋନ୍‌ରେ ଖାଦ୍ୟ ଯାଞ୍ଚ କରିବେ। ସେହିପରି ଖେଳାଳିମାନଙ୍କ ଖାଦ୍ୟ ଯାଞ୍ଚ ପାଇଁ ପ୍ରତ୍ୟେକ ଦଳର ଜଣେ ଡାଏଟିସିଅନ୍, ସଂପୃକ୍ତ ହୋଟେଲର ଜଣେ କର୍ମଚାରୀ ଓ ଏଫ୍‌ଏସ୍‌ଓ ରହିବେ ।

ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖେଳାଳିମାନେ ରହିବାକୁ ଥିବା ହୋଟେଲ ଓ ଓଟିଡିସିକୁ ନେଇ ଏକ ତାଲିମ୍ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କିଭଳି ଖାଦ୍ୟର ମାନ ବଜାୟ ରହିବ, ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୁହାଯାଇଥିଲା । ଇନଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ ବା ଆଇଏଚ୍‌ଏମ୍ ଷ୍ଟାଡିୟମ ପରିସରରେ ଥିବା କର୍ମଚାରୀଙ୍କୁ ଖାଦ୍ୟ ପରିବେଷଣ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।