ଘଂଟାପ୍ରତି ୧୬ କିଲୋମିଟର ବେଗରେ ଆସୁଛି ରୁଆନୁ : ଗୋପାଳପୁରରୁ ରହିଛି ୨୮୦କିଲୋମିଟର ଦୂରରେ

101

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଧିରେ ଧିରେ ସାଂଘାତିକ ରୂପ ନେଉଛି ଘୁର୍ଣ୍ଣିଝଡ ରୁଆନୁ । ରୁଆନୁ କିଛି ସମୟପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବର ଆଶଙ୍କା ରହିଛି । ଏବେ ଗୋପାଳପୁର ରୁ ରୁଆନୁ ୨୮୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି ରୁଆନୁ । ଏହାସହ ସମସ୍ତ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି ।

ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ରୁଆନୁ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଉପକୂଳ ଓଡିଶାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୧୨ ଘଂଟା ମଧ୍ୟରେ ପବନର ବେଗ ୯୦ରୁ ୧୦୦ କିଲୋମିଟର ଛୁଇଁବା ସମ୍ଭାବନା ରହିଛି ।

କେତେକ ସ୍ଥାନରେ ପବନର ବେଗ ୧୧୦ କିଲୋମିଟର ହେବା ଆଶଙ୍କା କରୁଛି ପାଣିପାଗ ବିଭାଗ । ୨୨ ତାରିଖ ସକାଳେ ଏହି ଘୂର୍ଣ୍ଣିଝଡ ବାଙ୍ଗଲାଦେଶ ଉପକୂଳ ଅତିକ୍ରମ କରିବ । ବାଙ୍ଗଲାଦେଶ ଆଡକୁ ମୁହାଁଉଥିବାରୁ ରୁଆନୁ ଘୂର୍ଣ୍ଣିଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ । ତେବେ ଦେଶର ଦକ୍ଷିଣ-ପୂର୍ବ ଉପକୂଳରେ ଝଡର ଖବର ସମୁଦ୍ରକୂଳିଆ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ସରକାର ଜରୁରୀ ବୈଠକ ବି କରିଛନ୍ତି । ୧୨ଟି ଜିଲ୍ଲାରେ ବାତ୍ୟା ଅଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର ।

ଏଥି ସହିତ: ମାଡି ଆସୁଛି ରୁଆନୁ : ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କଲେ ସରକାର