ବିପଦ ମୁହଁରେ ପୁରୀର ୮୮ ଗାଁ : କୋଣାର୍କ, ଅସ୍ତରଙ୍ଗ ଓ ପେଣ୍ଠକଟାରୁ ଲୋକେ ସ୍ଥାନାନ୍ତର, ବିପର୍ଯ୍ୟୟର ମୁକାବିଲା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

50

କନକ ବ୍ୟୁରୋ: ସ୍ଥଳଭାଗ ଛୁଇଁଲା ତିତଲି । ଭେରି ସିଭିୟର ସାଇକ୍ଲୋନ ଷ୍ଟ୍ରର୍ମ ଭାବେ ଉପକୂଳ ଛୁଇଁଛି ବାତ୍ୟା ତିତଲି । ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁଛି ତିତଲି । ସକାଳ ପ୍ରାୟ ୫ଟା ୩୦ ସମୟରେ ଏହା ଉପକୂଳକୁ ହିଟ୍ କରିଛି । ଆଉ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି । ପ୍ରାୟ ୧୬୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏହାର ବେଗ ଆହୁରି ବଢିପାରେ ବୋଲି ସୂଚନା ମିଳିଛି । ତିତଲି ସ୍ଥଳଭାଗ ଛୁଇଁବା ପରେ ଅଧିକ ଉଗ୍ର ହୋଇଛି । ସବୁଠୁ ବଡ କଥା ହେଲା ଉପକୂଳ ଛୁଇଁବା ପରେ ଏହା ୨ ଘଣ୍ଟା ପର‌୍ୟ୍ୟନ୍ତ ସ୍ଥଳଭାଗରେ ରହିବ । ଅଥାର୍ତ ଏହି ସମୟରେ ଭୟଙ୍କର ରୂପ ଧାରଣ କରିବ ତିତଲି ।

ସମୁଦ୍ର ଭିତରେ ‘ତିତ୍ଲି’ ଭୟଙ୍କର ରୂପ ନେଉଥିବା ଜଣାପଡ଼ିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରେଡ୍ ଆଲର୍ଟ ଏରିଆରେ ପୁରୀ ଜିଲ୍ଲା ଆସୁଥିବାରୁ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିଦିଆଯାଇଛି । ‘ତିତଲି’ରେ ପୁରୀ ଜିଲ୍ଲାର ସଦର ବ୍ଲକ୍, ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ଗୋପ ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଥିବାରୁ ଏଠାରେ ସତର୍କ ଦୃଷ୍ଟି ଦିଆଯାଇଛି। ବିପର‌୍ୟ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ମତ୍ସ୍ୟଜୀବୀମାନେ ମଧ୍ୟ ନିଜ ନିଜର ଡଙ୍ଗାଗୁଡ଼ିକୁ କୂଳକୁ ନେଇ ଆସିଛନ୍ତି। ଅନ୍ୟପକ୍ଷରେ ତିତଲି ଭୟରେ ପର‌୍ୟ୍ୟଟକଙ୍କୁ ସମୁଦ୍ରରେ ଗାଧୋଇବାକୁ ବାରଣ କରାଯିବା ସହ ସମୁଦ୍ର ଭିତରେ ନାଲି ପତକା ଲଗାଯାଇଛି। ଏ ନେଇ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରି ଦିଆଯାଇଥିବା ବେଳେ ପର‌୍ୟ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦେଶ ଦିଆଯାଇଛି।

ପୁରୀ ଜିଲ୍ଲାର ସଦର ବ୍ଲକ୍, ଅସ୍ତରଙ୍ଗ ବ୍ଲକ୍, କାକଟପୁର ବ୍ଲକ୍, ବ୍ରହ୍ମଗିରି ବ୍ଲକ୍, କୃଷ୍ଣପ୍ରସାଦ ବ୍ଲକ୍ ଓ ଗୋପ ବ୍ଲକର ୮୮ଟି ଗାଁ ସୁନାମୀପ୍ରବଣ ହୋଇଥିବାବେଳେ ଏଠାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରୋକ୍ତ ବ୍ଲକର ୮୮ଟି ଗାଁ ସମୁଦ୍ର ତଟବର୍ତୀ ଅଞ୍ଚଳରେ ଥିବାରୁ ଏଠାରେ ସତର୍କ ଦୃଷ୍ଟି ରଖିବାକୁ ବ୍ଲକ୍ ପ୍ରଶାସନ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ଦାସ ଗତକାଲି ସମୁଦ୍ର ତଟବର୍ତୀ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ । ଗତକାଲି ସକାଳୁ ଜିଲ୍ଲାପାଳ ପେଣ୍ଠକଟା ଓ ଚନ୍ଦ୍ରଭାଗା ନୋଳିଆ ସାହି ପରିଦର୍ଶନ କରିବା ପରେ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ ଓ ବିଦ୍ୟାଳୟକୁ ସ୍ଥାନାନ୍ତର ନିର୍ଦେଶ ଦିଆଯାଇଥିଲା। ପେଣ୍ଠକଟାଠାରେ ପ୍ରାୟ ୨ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୋଣାର୍କରେ ବି ସମୁଦ୍ର ତଟବର୍ତୀ ଅଞ୍ଚଳର ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ନିର୍ଦେଶ ଦିଆଯାଇଛି। ଅଘଟଣକୁ ଏଡ଼ାଇବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲା ଓ ବ୍ଲକ୍ସ୍ତରରେ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ସଜାଗ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି।