ଫୋନି ସହାୟତାକୁ ନେଇ ବଢୁଛି ବିବାଦ : ପୁରୀ କଣାସ ବ୍ଲକ ପରିସରରେ ବିଡିଓଙ୍କୁ ଘେରିଲେ ଫନି ସହାୟତାରୁ ବାଦ ପଡିଥିବା ହିତାଧିକାରୀ, କାର୍ଯ୍ୟାଳୟକୁ ଧସେଇ ପଶିବା ପାଇଁ ଉଦ୍ୟମ ବେଳେ ଉତ୍ତେଜନା

193

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକ ପରିସରରେ ତୀବ୍ର ଉତ୍ତେଜନା । ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ବିଡିଓଙ୍କୁ ଘେରିଛନ୍ତି ଫନି ସହାୟତାରୁ ବାଦ ପଡିଥିବା ଶତାଧିକ ହିତାଧିକାରୀ । ଫଳରେ ବ୍ଲକ କାର୍ଯ୍ୟାଳୟରେ ପ୍ରବଳ ଉତେଜନା ସୃଷ୍ଟି ହୋଇଥିଲା ।  ଫନି ସହାୟତାରୁ ଯେଉଁମାନେ ବାଦ ପଡିଥିଲେ ସେମାନେ କାର୍ଯ୍ୟାଳୟରେ ପହଚିଂ କାହିଁକି ତାଙ୍କୁ ସହାୟତା ମିଳିନି ବୋଲି ପ୍ରଶ୍ନ କରିଥିଲେ । କଣାସ ବ୍ଲକରେ ଫନି କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ହୋଇଛି ଯେ ଶାସକ ଦଳର ନେତା ଓ ଥିଲା ବାଲା ହାତେଇ ନେଇଛନ୍ତି ସହାୟତା । ଆଉ ଶତାଧିକ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡ଼ିଛନ୍ତି । ଏ ନେଇ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଆଜି ଉଗ୍ରରୂପ ନେଇଥିଲା । ଆସନ୍ତା ୧୮ ତାରିଖରୁ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯିବ ଏବଂ ଏଥିପାଇଁ ଦାୟୀ ସରକାରୀ କର୍ମଚାରୀମାନଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।