ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି : ବର୍ଷପୂର୍ତ୍ତି ଅବସରରେ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧି, ପଚାରିଲେ ଆକ୍ରମଣରୁ କାହାକୁ ମିଳିଛି ଫାଇଦା

189

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବର୍ଷେ ପୁରିଛି । ସାରା ଦେଶରେ ସହୀଦଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି । ଏହାରି ଭିତରେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଜୋର ଧରିଛି ରାଜନୀତି । ବର୍ଷପୂର୍ତ୍ତି ଅବସରରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପଚାରିଛନ୍ତି ଆକ୍ରମଣରୁ କାହାକୁ ମିଳିଛି ଫାଇଦା । ସେପଟେ ଆକ୍ରମଣାତ୍ମକ ହୋଇଛି ବିଜେପି ।

ରାହୁଲଙ୍କ ଏପରି ପ୍ରଶ୍ନ ପଚାରିବାକୁ ସମାଲୋଚନା କରିଛି ବିଜେପି । କିନ୍ତୁ ଏହା ମଧ୍ୟ ସ୍ପଷ୍ଟ ଯେ, ପୁଲୱାମା ଆକ୍ରମଣର ପ୍ରତିଶୋଧ ସର୍ଜିକାଲ ଷ୍ଟ୍ରାଇକରେ ନେଇଥିଲେ ସରକାର । ଏବଂ ୨୦୧୯, ଫେବ୍ରୁୟାରୀ ୨୬ରେ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକକୁ ଲୋକସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ଏବଂ ଫଳାଫଳ ଯାହା ଆସିଥିଲା ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ପୁରା ଫାଇଦା ମିଳିଥିଲା ଭାରତୀୟ ଜନତା ପାର୍ଟିକୁ ।

୨୦୧୯ ଫେବ୍ରୁଆରୀ ୧୪ ଅର୍ଥାତ ଆଜିର ଦିନରେ ଜମ୍ମୁକାଶ୍ମୀର ପୁଲୱାମାରେ ଏକ ସିଆରପିଏଫ ଗାଡିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ ଆତଙ୍କୀ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଦେଶରେ ଆକ୍ରୋଶ ବଢିବା ସହ ପାକିସ୍ତାନକୁ କଡା ଜବାବ ଦେବାକୁ ଦାବି ଉଠିଥିଲା । ଉଚିତ୍ ସମୟରେ ଜବାବ ଦିଆଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ଦିନ ପରେ ଏହାର ପ୍ରତିଶୋଧ ନେଇଥିଲା ଭାରତ । ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ ଭାରତ ସମେତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା । ଜୈଶ ଏ ମହମ୍ମଦର ଠିକଣା ଉପରେ ଆକ୍ରମଣ ଓ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା । ଏହାପରେ ମୋଦି ସରକାରଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା ।

ଏହାର ଦିନକ ପରେ ପାକିସ୍ତାନ ଏଫ୍-୧୬ବିମାନ ଭାରତ ସୀମାକୁ ପ୍ରବେଶ କରିଥିବା ବେଳେ ଭାରତୀୟ ମିଗ୍-୨୧ଏହାକୁ ତଡି ଥିଲା । ଏବଂ ଏଥିରେ ପାକ୍ ସୀମାରେ ଭୁଲବଶତଃ ପ୍ରବେଶ କରିଯାଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ନିଜ ହେଫାଜତକୁ ନେଇଯାଇଥିଲା ପାକିସ୍ତାନ । କିନ୍ତୁ ତାଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାକୁ ସଫଳ ହୋଇଥିଲେ ସରକାର । ଏବଂ ଲୋକସଭା ନିର୍ବାଚନରେ ରାଷ୍ଟ୍ରବାଦକୁ ନେଇ ମଇଦାନକୁ ଓହ୍ଳାଇଥିବା ବିଜେପିକୁ ବିପୁଳ ସଫଳତା ମିଳିଥିଲା । ମୋଦିଙ୍କ ରାଷ୍ଟ୍ରବାଦ ପ୍ରସଙ୍ଗ ସାମ୍ନାରେ ଫିକା ପଡିଯାଇଥିଲା କଂଗ୍ରେସ । ଏହାର ଫଳ ସ୍ୱରୂପ ବିଜେପିକୁ ୩୦୩ଆସନ ମିଳିଥିଲା ଏବଂ ଏନଡିଏ ଭାଗରେ ପଡିଥିଲା ମୋଟ୍ ୩୫୨ଆସନ ।