୭ ତାରିଖ ଯାଏଁ ଲାଗି ରହିବ ଥଣ୍ଡା ! ୧୦ ଡିଗ୍ରି ତଳେ ୧୭ ସହର

106

କନକ ବ୍ୟୁରୋ : ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ଲାଗି ରହିଛି ଥଣ୍ଡା । ଲଗାତାର ଭାବେ ପାରଦ ୫ ଡିଗ୍ରି ତଳେ ରହୁଛି । ଗତକାଲି ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ୫ ଡିଗ୍ରିରେ ପହଞ୍ଚିଛି । ଫୁଲବାଣୀ‌ରେ ଥଣ୍ଡା ଅପରିବର୍ତ୍ତିତ ରହିଛି । ଆଜି ଏଠାରେ ୪.୫ ଡିଗ୍ରି ରହିଥିଲା । ଭୋର୍‌ ସମୟରେ ପ୍ରବଳ ଥଣ୍ଡା ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଦିନ ୧୦ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରି ପାରୁ ନାହାନ୍ତି । କେତେକ ସ୍ଥାନରେ କାକର ଓ ବରଫପାତ ହେଉଥିବାରୁ ସ୍ଥିତି ଆହୁରି ସାଙ୍ଘାତିକ ହୋଇପଡ଼ୁଛି ।

ସେପଟେ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଛି । ରାତିର ତାପମାତ୍ରା ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । ତିନି ଦିନ ହେଲା ୧୦ ଡିଗ୍ରି ତଳେ ରହୁଥିବା କଟକର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରିରେ ପହଞ୍ଚିଛି । ମାଲକାନଗିରି‌ରେ ବି ପୁଣିଥରେ ୧୦ ଡିଗ୍ରିକୁ ବଢ଼ିଛି । ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ, ଟିଟିଲାଗଡ଼ ପରି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇ ୮ରୁ ୯ ଡିଗ୍ରି ମଧ୍ୟରେ ରହିଛି । ସୋନପୁରରେ କିନ୍ତୁ ଆଜି ପାରଦ ୬.୬ ଡିଗ୍ରି ରହିଥିବାରୁ ଲୋକେ ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି ।

cold wave
image courtesy-https://odishatv.i

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗୁରୁବାର ଭୋର୍‌ ସମୟ ପର‌୍ୟ୍ୟନ୍ତ ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିବ। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ସ୍ଥିତି ଅପରିବର୍ତ୍ତିତ ରହିବ । ରାତିର ତାପମାତ୍ରା ୬ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି। ଏହାପରେ କିନ୍ତୁ ପରିସ୍ଥିତିରେ ଉନ୍ନତି ଆସିବ । ଏବେ ହାରାହାରି ତାପମାତ୍ରା ୨ରୁ ୪ ଡିଗ୍ରି ପର‌୍ୟ୍ୟନ୍ତ କମ୍‌ ରହୁଛି । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ୭ ତାରିଖ ପର‌୍ୟ୍ୟନ୍ତ ସ୍ଥିତିରେ ସେଭଳି ପରିବର୍ତ୍ତନ ହେବନି। ଦୁଇରୁ ତିନି ଡିଗ୍ରି ଏପାଖସେପାଖ ହୋଇପାରେ। ଏହାପରେ ତାପମାତ୍ରା ବୃଦ୍ଧି ପାଇବ । ଉତ୍ତର ଭାରତରେ ଥଣ୍ଡା ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଥିବାରୁ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ିବ ।