ଯୋଗଜନ୍ମା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୨ ତମ ଜନ୍ମଜୟନ୍ତୀ ! ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରୁଛି ସାରା ଓଡ଼ିଶା ।

176

କନକ ବ୍ୟୁରୋ : ଆଜି ହେଉଛି ଯୋଗଜନ୍ମା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ ତମ ଜନ୍ମଜୟନ୍ତୀ  । ଓଡ଼ିଶାକୁ ଏକ ଶିଳ୍ପ ବିକାଶିତ ରାଜ୍ୟରେ ପରିଣତ କରିବାରେ ଥିଲା ଜାନକୀ ବଲ୍ଲଭଙ୍କ ବଳିଷ୍ଠ ଯୋଗଦାନ । ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ପାଇଁ ଦେଇଥିବା ଆହ୍ୱାନ ଯୋଗୁଁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିପ୍ଳବ ହୋଇଥିଲା ଓଡ଼ିଶାରେ  । ଜାନକୀ ବଲ୍ଲଭ ଥିଲେ ଜଣେ ଦୃଢମନା, ସ୍ଥିତପ୍ରଜ୍ଞ ରାଜନେତା । ଜୟ-ପରାଜୟ, ସଫଳତା- ବିଫଳତା ତାଙ୍କୁ କେବେ ବି ବିଚଳିତ କରୁନଥିଲା । ପ୍ରତିକୂଳ ପରିସ୍ଥିତିରେ ତାଙ୍କର ବ୍ୟକ୍ତିତ୍ୱ ଅଧିକ ପ୍ରସ୍ଫୁଟିତ ହୋଇଛି । ତେଣୁ ପ୍ରତିଟି କ୍ଷେତ୍ରରେ ସେ ଛାଡି ଦେଇଛନ୍ତି ଅଲିଭା ଛାପ ।

ଦେଶ ଓ ଜାତିର ନେତୃତ୍ୱ ନେବା ପାଇଁ କିଛି ବ୍ୟକ୍ତି ଜନ୍ମ ନିଅନ୍ତି, ଅର୍ଥାତ୍ ଉତରାଧିକାରୀ ଭାବେ ନେତୃତ୍ୱ ସେମାନଙ୍କ ନିକଟକୁ ଆପଣା ଛାଏଁ ଆସିଥାଏ । ତେବେ ଆଉ କିଛି ନେତା ସଂଘର୍ଷ ଓ ସଂଘାତ ମଧ୍ୟରୁ ସୃଷ୍ଟି ହୋଇଥାନ୍ତି । ସାଧନା, ନିରବଚ୍ଛିନ୍ନ ଅଧ୍ୟବସାୟ ଓ ଦୂରଦୃଷ୍ଟି ବଳରେ ସେମାନେ ନେତୃତ୍ୱ ସାବ୍ୟସ୍ତ କରିଥାନ୍ତି । ସେହିଭଳି ଜଣେ ଜନନେତା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ବେଣୀ ସଂହାରମ୍ ନାଟକରେ ମହାବୀର କର୍ଣ୍ଣଙ୍କ ସଂଳାପ ଥିଲା – “ଉଚ୍ଚ କୁଳରେ ଜାତହେବା ଦୈବର ଅଧୀନ କିନ୍ତୁ ପୁରୁଷକାର ମୋର ଅଧୀନ’’  । ମହାବୀର କର୍ଣ୍ଣଙ୍କ ଏହି ଉକ୍ତି ଥିଲା ଜାନକୀ ବଲ୍ଲଭଙ୍କ ଜୀବନର ମୂଳମନ୍ତ୍ର ।

ଯୋଗଜନ୍ମା ଜାନକୀ ବଲ୍ଲଭ ପଟ୍ଟନାୟକ । ଗୋଟିଏ ସାଧାରଣ ପରିବାରରୁ ଜନ୍ମ ନେଇ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ । ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ସେ ଥିଲେ ତ୍ରିବେଣୀ ସଙ୍ଗମ । ସାହିତ୍ୟ ଓ କଳା ସଂସ୍କୃତିରେ ସେ ଯେତିକି ପାରଙ୍ଗମ ଥିଲେ, ସାମ୍ବାଦିକତା କ୍ଷେତ୍ରରେ ସେ ଥିଲେ ସେତିକି ଅପ୍ରତିଦ୍ୱନ୍ଦୀ । କେନ୍ଦ୍ରମନ୍ତ୍ରୀ ଠାରୁ ଆରମ୍ଭ କରି ୩ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶର ଅନ୍ୟତମ ସଫଳ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ଜାନକୀ ବଲ୍ଲଭ । ଗରିବ ଓ ଅସହାୟ ବ୍ୟକ୍ତିଙ୍କ ଦୁଃଖ ଦୂର କରିବା ପାଇଁ ତାଙ୍କର ନିଷ୍ଠାପର ପ୍ରୟାସ ଓ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଆଜି ବି ଉଦାହରଣ ହୋଇ ରହିଛି ।

ଓଡ଼ିଶାକୁ ଏକ ଶିଳ୍ପ ବିକାଶିତ ରାଜ୍ୟରେ ପରିଣତ କରିବାରେ ଥିଲା ଜାନକୀ ବଲ୍ଲଭଙ୍କ ବଳିଷ୍ଠ ଯୋଗଦାନ । ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ପାଇଁ ଦେଇଥିବା ଆହ୍ୱାନ ଯୋଗୁଁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିପ୍ଳବ ହୋଇଥିଲା ଓଡ଼ିଶାରେ । କେବଳ ଶିଳ୍ପ ନୁହେଁ କୃଷି କ୍ଷେତ୍ରରେ ମଧ୍ୟ ସେ ଆଣିଥିଲେ ବୈପ୍ଳବିକ ପରିବର୍ତନ । ତାଙ୍କରି ସମୟରେ ରାଜ୍ୟରେ କୃଷିର ବିକାଶ ପାଇଁ ନୂଆ ଓ ପ୍ରଗତିଶୀଳ କୃଷିନୀତି ପ୍ରଣୟନ କରାଯାଇଥିଲା । ଶିଳ୍ପ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ଇପିକଲ ଓ କୃଷି ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଆପିକଲ ଭଳି ସଂସ୍ଥା ଗଠନ କରିଥିଲେ ଜାନକୀ ବଲ୍ଲଭ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ବିଚକ୍ଷଣ ରାଜନେତା, ଜଣେ ସମାଜ ସଂସ୍କାରକ ଭାବେ ଜାନକୀ ବଲ୍ଲଭ ଯେତିକି ଜଣାଶୁଣା ଥିଲେ, ଜଣେ ସୁସାହିତ୍ୟିକ ଓ ସଂସ୍କୃତ ବିଶାରଦ ଭାବେ ଥିଲା ତାଙ୍କର ସେତିକି ଖ୍ୟାତି । ରାଜ୍ୟର କଳା, ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର ।

ଓଡିଶା ରାଜନୀତିର ଭୀଷ୍ମ ପିତାମହ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଡିଥିଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ରାଜନୈତିକ ମୂଳଦୁଆ । ଗୋଟିଏ ପଟେ ସାମ୍ବାଦିକତା, ଅନ୍ୟପଟେ ରାଜନୀତି, ଦୁଇଟି କ୍ଷେତ୍ର ପ୍ରତି ଥିଲା ଜାନକୀ ବଲ୍ଲଭଙ୍କ ରୁଚି । ଆଉ ଦୁଇଟି କ୍ଷେତ୍ରରେ ସଫଳତାର ଶିଖର ଛୁଇଁ ପାରିଥିଲେ ସେ । ସତୁରୀ ଦଶକର ଆରମ୍ଭରେ ରାଜନୈତିକ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ଜାନକୀ ବଲ୍ଲଭ । ୧୯୭୧ରେ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଥିଲା ତାଙ୍କ ସଫଳତାର ପ୍ରଥମ ପାହାଚ । ଆଉ ଏହା ପରେ ତାଙ୍କ ରାଜନୈତିକ ଜୀବନରେ ଯାହା ଘଟିଥିଲା, ତାହା ଓଡ଼ିଶା ରାଜନୀତି ଇତିହାସର ଗୋଟିଏ ଗୋଟିଏ ସ୍ୱର୍ଣ୍ଣିମ ପୃଷ୍ଠା ।

ସଫଳ ବ୍ୟକ୍ତିତ୍ୱକୁ ନେଇ ଲେଖା ଯାଇଥାଏ ଇତିହାସ । ହେଲେ ଏପରି କିଛି ବ୍ୟକ୍ତି ଜନ୍ମ ନିଅନ୍ତି, ଯେଉଁମାନେ ନିଜେ ହିଁ ଇତିହାସ ପାଲଟି ଯାଆନ୍ତି । ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟ, ଦୈନନ୍ଦିନ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଯାଏ । ସେହିଭଳି ଜଣେ ଯୋଗଜନ୍ମା ଥିଲେ ଜାନକୀ ବଲ୍ଳଭ ପଟ୍ଟନାୟକ ।