ଆତ୍ମାହୁତିର ଧମକ ଦେଲେ ଶୀତଳଭଣ୍ଡାର ମାଲିକ ! ତୁରନ୍ତ ସମସ୍ୟା ସମାଧାନ ପାଇଁ କଲେ ଦାବି

194

କନକ ବ୍ୟୁରୋ : ରାଜ୍ୟରେ ୪ଦିନ ହେଲା ସମସ୍ତ ୪୧ଟି ଶୀତଳ ଭଣ୍ଡାରରେ ତାଲା ପଡ଼ିଛି । ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ ଆଗକୁ ଆଳୁ କେଜି ୫୦ ଟଙ୍କାରେ ପହଁଚିବ । ସରକାର ତୁରନ୍ତ ସମସ୍ୟାର ସମାଧାନ ନକଲେ, ଦୁଇ ଦିନ ପରେ ଶୀତଳଭଣ୍ଡାର ମାଲିକମାନେ ସଚିବାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି । ଓଡ଼ିଶା କୋଲ୍ଡ ଷ୍ଟୋରେଜ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ୟାମ ପନସାରୀ ଓ ସମ୍ପାଦକ ଜନାର୍ଦ୍ଦନ ସାହୁ ପ୍ରମୁଖ କହିଛନ୍ତି ଯେ- ୨୦୧୫ ମସିହା ପରେ ୩ ବର୍ଷରେ ରାଜ୍ୟରେ ୧୧୨ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ଲକ୍ଷ୍ୟ ରଖାଯାଇଥିଲା ।

ମାତ୍ର ଇତିମଧ୍ୟରେ ୨୬ଟି ନୂଆ ଘରୋଇ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇପାରିଛି । ରାଜ୍ୟରେ ଚାଷୀମାନଙ୍କୁ ଉଚ୍ଚ ମାନର ଆଳୁ ମଂଜି ଓ ଆନୁଷଙ୍ଗିକ ସୁବିଧା ମିଳୁନଥିବାରୁ ଆଳୁ ଉତ୍ପାଦନ ବଢ଼ୁନାହିଁ । ଶୀତଳ ଭଣ୍ଡାର ମାଲିକମାନେ ବର୍ଷକୁ ୧ କୋଟିରୁ ଦେଢ଼ କୋଟି ଟଙ୍କା କ୍ଷତି ସହୁଛନ୍ତି । ସରକାର ତୁରନ୍ତ ଶୀତଳଭଣ୍ଡାର କ୍ଷତି ଭରଣା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଗତ ୨୨ ତାରିଖ ଦିନରାଜ୍ୟରେ ଥିବା ୪୧ଟି ଯାକ କୋଲଡ ଷ୍ଟୋରେଜକୁ ବନ୍ଦ କରିଦିଆଯାଇଛି । ବର୍ଷକୁ ପ୍ରାୟ କୋଟିଏ ଟଙ୍କା ଲେଖାଏଁ କ୍ଷତି ହେଉଥିବା ଦର୍ଶାଇ ଶୀତଳଭଣ୍ଡାର ଗୁଡ଼ିକୁ ବନ୍ଦ କରିଦେଇଛି ଓଡ଼ିଶା କୋଲଡ ଷ୍ଟୋରେଜ୍ ଆସୋସିଏସନ୍ ।