ଲାଲ୍ କରିଡରରେ ରକ୍ତର ହୋଲି! ଆଇଇଡି ଲଗାଇ ନକ୍ସଲ ଉଡାଇଲେ ବସ୍, ଜଣେ ଯବାନଙ୍କ ସହ ୫ ସହିଦ୍ ।

118

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମାତ୍ର ୪ ଦିନ ପୂର୍ବରୁ ଛତିଶଗଡ଼ ଲାଲ କରିଡରରେ ପୁଣି ରକ୍ତର ହୋଲି ଖେଳିଛନ୍ତି ନକ୍ସଲ । ନିର୍ବାଚନ ଡ୍ୟୁଟିରେ ଥିବା ସିଆଇଏସଏଫ୍ ଯବାନଙ୍କୁ ଟାର୍ଗେଟ କରି ମିନିବସକୁ ଆଇଇଡି ଲଗାଇ ଉଡାଇ ଦେଇଛନ୍ତି ମାଓବାଦୀ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବସଟି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ବିସ୍ଫୋରଣରେ ଜଣେ ଯବାନଙ୍କ ସମେତ ୫ ଜଣ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ବଡ଼ ହମଲା ।

ଦାନ୍ତେୱାଡ଼ାରେ ପୁଣି ମାତିଲେ ମାଓବାଦୀ । ବସ୍ ଉପରେ ହମଲା, ଟଳି ପଡିଲେ ୫ ଜଣ । ମାଲକାନଗିରି ସୀମାନ୍ତ ଦାନ୍ତେୱାଡାରେ ପୁଣି ମାଓ ଆତଙ୍କ । ଛତିଶଗଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ୪ ଦିନ ପୂର୍ବରୁ ଲାଲବାହିନୀ ଖେଳିଛି ରକ୍ତର ହୋଲି । ନିର୍ବାଚନ ଡ୍ୟୁଟିରେ ଥିବା ସିଆଇଏସଏଫ୍ ଯବାନଙ୍କୁ ଟାର୍ଗେଟ କରି ମିନିବସକୁ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ୍ ଡିଭାଇସ୍ ବା ଆଇଇଡି ଲଗାଇ ଉଡାଇ ଦେଇଛନ୍ତି ମାଓବାଦୀ ।  ଏହି ବିସ୍ଫୋରଣରେ ଜଣେ ସିଆଇଏସଏଫ ଯବାନଙ୍କ ସହ ୪ ଜଣ ସାଧାରଣ ନାଗରିକ ସହିଦ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ୨ ଜଣ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦାନ୍ତେୱାଡାର ବଚେଲି ପାହାଡ଼ିଆ ଅଂଚଳରେ ମାଓବାଦୀଙ୍କ ତାଣ୍ଡବ ଲୀଳା । ଗ୍ରୋସରି ସାମଗ୍ରୀ କିଣି ମିନିବସରେ କ୍ୟାମ୍ପକୁ ଫେରୁଥିଲେ ସିଆଇଏସଏଫ ଯବାନ । ତେବେ ଅତ୍ୟାଧୁନିକ ବିସ୍ଫୋରକ ଲଗାଇ ବସକୁ ଉଡାଇ ଦେଇଥିଲେ ଘାଟି ନିକଟରେ ଜଗି ବସିଥିବା ନକ୍ସଲ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ବସ୍ । ବସ୍ ଡ୍ରାଇଭର, କଣ୍ଡକ୍ଟର, କ୍ଲିନର୍ ଓ ଜଣେ ଯବାନଙ୍କ ୫ ଜଣ ମୃତ୍ୟୁ ହୋଇ ଯାଇଥିଲା ।

ଲାଲ କରିଡରରେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ମାଓବାଦୀ । ଦୁଇ ସପ୍ତାହ ମଧ୍ୟରେ ଛତିଶଗଡ଼ରେ ତିନିଟି ବଡ଼ ହମଲା କରିଛି ନକ୍ସଲ । ଅକ୍ଟୋବର ୩୦ ତାରିଖରେ ନିର୍ବାଚନ ପ୍ରସ୍ତୁତ ନେଇ ରିପୋର୍ଟ କରିବାକୁ ଯାଇଥିବା ଦୂରଦର୍ଶନର ଏକ ଟିମ୍ ଉପରେ ଆକ୍ରମଣ କରିଥିଲା ଲାଲବାହିନୀ । ସେଥିରେ ସହିଦ ହୋଇ ଯାଇଥିଲେ ଓଡ଼ିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ।