ଗାଁ ମୁହାଁ ଚିତ୍ରୋତ୍ପଳା ନଦୀ ! ଆତଙ୍କରେ ଗରଦପୁରର ଗ୍ରାମବାସୀ

35

କନକ ବ୍ୟୁରୋ : ଚିତ୍ରୋତ୍ପଳା ନଦୀରେ ଲୀନ ହେବାକୁ ବସିଛି ନଦୀକୂଳିଆ ଗାଁ । ଫଳରେ ଆତଙ୍କରେ ଜୀବନ ବିତାଉଛନ୍ତି ନଦୀ କୂଳରେ ବାସକରୁଥିବା ଗାଁର ଗ୍ରାମବାସୀ । ଚିତ୍ରୋତ୍ପଳା ନଦୀ କୂଳରେ ଥିବା ବିଚଣା , ହାରିଦାସପୁର ଏବଂ ନୁଆପଡ଼ା ଗାଁ ଏହା ଦ୍ୱାରା ବେଶି ପ୍ରଭାବିତ ହେଉଛି । ସେପଟେ ସବୁ ଜାଣି ବିଭାଗୀୟ କର୍ତ୍ତୃପକ୍ଷ ସାଜିଛନ୍ତି ନିରବ ଦ୍ରଷ୍ଟା ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଏବଂ ଗରଦପୁର ବ୍ଲକର ବିଭିନ୍ନ ଅଂଚଳ ଦେଇ ବହିଯାଇଛି ଚିତ୍ରୋତ୍ପଳା ନଦୀ । ଏହି ନଦୀର ଉଭୟ ପାଶ୍ୱର୍ରେ ରହିଛି ଅନେକ ଗାଁ । ଏହି ଗାଁ ଗୁଡ଼ିକର ମୁଖ୍ୟ ସମାସ୍ୟା ହେଉଛିି ନଦୀ କୂଳଖାଇ ଗାଁ ଆଡକୁ ମାଡି ଆସୁଛି । ଫଳରେ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି ନଈକୂଳିଆ ଗ୍ରାମବାସୀ । କେତେକ ଗାଁ ନିକଟରେ ବାରମ୍ବାର ଅତଡା ଖାଇବା ଦ୍ୱାରା ପୁରା ଗାଁ ନଦୀଗର୍ଭରେ ସବୁଦିନ ପାଇଁ ଲୀନ ହେବାକୁ ବସିଲାଣି । ନଦୀ କୂଳରେ ଥିବା ବିଚଣା , ହାରିଦାସପୁର ଏବଂ ନୁଆପଡ଼ା ଗାଁ ବେଶି ପ୍ରଭାବିତ ହେଉଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଗତବର୍ଷ ହରିଦାସପୁର ନିକଟସ୍ଥ ବନ୍ଧରେ ପ୍ରାୟ ୩୦୦ମିଟର ଅତଡା ଖସିବା ପରେ ତତ୍ପର ହୋଇଥିଲା ଜଳସେଚନ ବିଭାଗ । ଆଉ ପଥର ପ୍ୟାକିଂ କାମ କରିବା ପାଇଁ ପ୍ରାୟ ୧୭ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟବରାଦ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ଅଧାପାନ୍ତରିଆ ହୋଇ ପଡିରହିଛି । ସେପଟେ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଜଳସେଚନ ବିଭାଗର ଏସଡିଓ ସୂଚନା ଦେଇଛନ୍ତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-