ହଜିଲା ଚୀନର ନିଦ ! ଭାରତ ଆମେରିକା ବନ୍ଧୁତ୍ୱକୁ ନେଇ ଚିନ୍ତାରେ ଡ୍ରାଗନ୍

32

କନକ ବ୍ୟୁରୋ : ଭାରତ ଓ ଆମେରିକାର ବନ୍ଧୁତ୍ୱକୁ ନେଇ ଚିନ୍ତାରେ ପଡିଯାଇଛି ଚୀନ । ଆଜି ଚୀନର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଚୀନ ଗଣମାଧ୍ୟମ ପ୍ରମାଣ କରିବା ପାଇଁ ଚେଷ୍ଟା କରିଛି, ଯେ ଆମେରିକା ନିଜ ସ୍ୱାର୍ଥ ପାଇଁ ଭାରତକୁ ବ୍ୟବହାର କରୁଛି । କିନ୍ତୁ ପ୍ରକୃତ କଥା ହେଉଛି, ଏହି ଘନିଷ୍ଠତା ଉଭୟ ଭାରତ ଓ ଆମେରିକାକୁ ଶକ୍ତିଶାଳୀ କରୁଥିବାରୁ ଚିନ୍ତିତ ହୋଇ ପଡିଛି ଚୀନ ।

ଗତ ମଙ୍ଗଳବାର ଦିନ ଟ୍ରମ୍ପ ସରକାରଙ୍କ କ୍ୟାବିନେଟ୍ ଅଧିକାରୀ ଜେମସ ମାଟିସଙ୍କ ପ୍ରଥମ ଭାରତ ଗସ୍ତ ଚୀନର ନିଦ ହଜାଇ ଦେଇଛି । ଆମେରିକାର ଡିଫେନ୍ସ ସେକ୍ରେଟାରୀ ଭାରତ ଆସି ତ -୧୬ ଆଡଭାନ୍ସଡ ଫାଇଟର୍ ଜେଟ୍ ଓ ସି ଗାରଡିଆନ୍ ଅନନେମଡ ଏରିଏଲ୍ ସିଷ୍ଟମ୍ ବିକ୍ରି ନେଇ ବୁଝାମଣା କରିବା ଘଟଣା ଚୀନ୍ ସରକାରଙ୍କୁ ବ୍ୟସ୍ତ କରି ଦେଇଛି ।

ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସରେ ପ୍ରକାଶ ପାଇଥିବା ଏହି ରିପୋର୍ଟରୁ ଚୀନର ଏହି ବ୍ୟସ୍ତତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଏହି ଖବରକାଗଜ ଲେଖିଛି ଆମେରିକା ନିଜର ରଥରେ ଭାରତକୁ ବାନ୍ଧିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଚୀନ୍ ସହ ସଂପର୍କରେ ଭାରତକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଆମେରିକା ସଫଳ ହେବ ନାହିଁ ।

ପ୍ରତିରକ୍ଷା ପ୍ରସ୍ତୁତିରେ ଭାରତ ଓ ଆମେରିକାର ଘନିଷ୍ଠତା – ଚୀନ୍ ପାଇଁ ନିଶ୍ଚୟ ଏକ ଚିନ୍ତାର କାରଣ । ଏହାର କାରଣ ହେଉଛି, ଏସିଆ ମହାଦେଶର ଏହି ଦୁଇ ମହାଶକ୍ତି ଚୀନ୍ ଓ ଭାରତ ମଧ୍ୟରୁ ଯଦି ଭାରତ ଅଧିକ ଶକ୍ତିଶାଳୀ ହୋଇଉଠେ ତେବେ ଚୀନ୍ ସହ ସୀମା ବିବାଦର ସମାଧାନ କ୍ଷେତ୍ରରେ ଚୀନକୁ ଅଧିକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ । ଅନ୍ୟପଟେ ଦକ୍ଷିଣ ଚୀନ୍ ମହାସାଗର ବିବାଦରେ ଭାରତ ସହ ମିଶିଗଲେ ଆମେରିକାର ଶକ୍ତି ଯଥେଷ୍ଟ ବଢିଯିବ ।

ଚୀନର ଏହି ସରକାରୀ ଗଣମାଧ୍ୟମ କହିଛି ଭାରତ – ଆମେରିକା ବନ୍ଧୁତ୍ୱ ପଛରେ ଆମେରିକାର ଭିତିରି ଉଦ୍ଦେଶ୍ୟ ରହିଛି । ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ୍ ପଲିସି ପାଇଁ ଭାରତକୁ ଯୁଦ୍ଧାସ୍ତ୍ର ବିକ୍ରି କରି ଭଲ ରାଜସ୍ୱ ସଂଗ୍ରହ କରିପାରିବ ।

ତେବେ ଚୀନର ଏଭଳି ଆଭିମୁଖ୍ୟ ବୟାନ୍ କରୁଛି ଡୋକଲାମ୍ ବିବାଦ ପରେ ଭାରତର ପ୍ରତି ପଦକ୍ଷେପକୁ ଚୀନ୍ ସରକାର ସତର୍କତାର ସହ ଦେଖୁଛନ୍ତି । ଏବଂ ଚୀନ୍ ମନେରଖିବା ଦରକାର ଭାରତ କାହାର ହାତବାରିସୀ ନୁହେଁ । ନିଜ ଶକ୍ତି ଉପରେ ବିଶ୍ୱାସ ରଖି ଆଗକୁ ବଢିଥାଏ , ଯାହା ଡୋକଲାମ୍ ପରେ ଚୀନ୍ ସନ୍ଦେହ କରିବା ଉଚିତ୍ ନୁହେଁ ।