ଲଙ୍କା ଚାଷ ପାଇଁ ଜଣାଶୁଣା ପଶ୍ଚିମ ଓଡିଶାର ବାମରା : ପ୍ରୋତ୍ସାହନ ଅଭାବ ଓ ଜଳ ସେଚନର ସୁବିଧା ନଥିବାରୁ ଲଙ୍କା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

89

କନକ ବ୍ୟୁରୋ : ଲଙ୍କା ଚାଷ ପାଇଁ ବେଶ ଜଣାଶୁଣା ପଶ୍ଚିମ ଓଡିଶାର କୁଚିଣ୍ଡା ଉପଖଣ୍ଡ ବାମରା । ଏଠାକାର ଚାଷୀ ଲଙ୍କା ଚାଷ କରି ଦେଶର ବିଭିନ୍ନ ରାଜ୍ୟକୁ ରପ୍ତାନୀ କରିଥାନ୍ତି । ରାଜ୍ୟର ବିଭିନ୍ନ ଅଂଚଳରେ ବି କୁଚିଣ୍ଡା ଲଙ୍କା ବେଶ ନାଁ କରିଛି । ଆଉ ସ୍ୱାବଲମ୍ବୀ ହୋଇପାରିଛନ୍ତି ବାମରା ଅଂଚଳର ଲଙ୍କା ଚାଷୀ । ତେବେ ପ୍ରୋତ୍ସାହନ ଅଭାବ ଓ ଜଳ ସେଚନର ସୁବିଧା ନଥିବାରୁ ଅନେକ ଚାଷୀ ଲଙ୍କା ଚାଷରୁ ମୁହଁ ଫେରାଇ ନେଉଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବାମରା ଅଂଚଳର ଏକର ଏକର ଜମିରେ ଲଙ୍କା ଚାଷ କରି ପେଟ ପୋଷିଥାନ୍ତି ଏଠାକାର ଚାଷୀ । ବାମରା ଜଳବାୟୁ, ଲଙ୍କା ଚାଷ ପାଇଁ ବେଶ ସହାୟକ ହୋଇଥାଏ । ଆଗରୁ ଏ ଅଂଚଳରେ ଲଙ୍କା ବିକ୍ରି କରିବାକୁ ଚାଷୀଙ୍କ ପାଇଁ କୌଣସି ସୁବିଧା ନଥିଲା । ହେଲେ ଗତ ବର୍ଷ ଠାରୁ ଲଙ୍କା ସଂଗ୍ରହ ପାଇଁ ସରକାରଙ୍କ ପକ୍ଷରୁ ମଣ୍ଡିର ବ୍ୟବସ୍ଥା କରାଯାଇଛି । ଚାଷୀ ସିଧାସଳଖ ମଣ୍ଡିକୁ ଆଣି ଲଙ୍କା ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଉଛନ୍ତି ।

ସରକାରୀ ମଣ୍ଡିରେ ଧାନ ବିକ୍ରି କରି ଚାଷି ସିନା ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ହେଲେ ଚାଷ ପାଇଁ ଜଳାଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଜଳ ସେଚନର ସୁବିଧା ନଥିବାରୁ ଦୀର୍ଘ ୪୦-୫୦ ବର୍ଷରୁ ଲଙ୍କା ଚାଷ କରି ଗୁଜୁରାଣ ମେଂଟାଉଥିବା ଚାଷୀ ଲଙ୍କା ଚାଷରୁ ମୁହଁ ଫେରାଇ ନେଉଥିବା କହିଛନ୍ତି । ଶୁଖିଲା ଲଙ୍କାକୁ ମାନ ନିର୍ଣ୍ଣୟ କରାଯାଇ କିଣା ଯାଇଥାଏ । ମଣ୍ଡିରେ ଲଙ୍କା ବିକ୍ରି କରି ଚାଷୀ ଉପକୃତ ହେଉଛନ୍ତି ।