ସୁନା ଚେନ୍ ଲୁଟ୍ ବେଳେ ସିସିଟିଭି କ୍ୟାମେରାରେ କଏଦ ହେଲା ଲୁଟର ଚିତ୍ର । ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବାକୁ ଉଦ୍ୟମ

ରାଜଧାନୀରେ ଲୁଟେରାଙ୍କ ନଜର ଏବେ ସୁନା ଉପରେ ପଡିଛି

195

କନକ ବ୍ୟୁରୋ : ଏମିତି ହୁଏ ଲୁଟ୍ । ରାଜଧାନୀରେ ଲୁଟେରାଙ୍କ ନଜର ଏବେ ସୁନା ଉପରେ ପଡିଛି । ଆଉ ସେମାନେ ଦିନରାତି ଚଳାଇଛନ୍ତି ବେଧଡକ ଲୁଟ୍ । ଲୁଟେରାଙ୍କ ଉତ୍ପାତରେ ରାଜଧାନୀବାସୀ ଥରହର । ଏପରିକି ଘରୁ ବାହାରିବାକୁ ବି ଡର ଲାଗୁଛି । ଗତକାଲି ଶ୍ରୀଲିଙ୍ଗରାଜଥାନା ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗୀରେ ଜଣେ ମହିଳାଙ୍କ ବେକରୁ ଲୁଟ ଉଦ୍ୟମ କରିଛନ୍ତି ଲୁଟେରା । ତେବେ ମହିଳା ଚେନକୁ ଚାପି ଧରିବାରୁ ଲୁଟେରା ଜଣକ ଲୁଟ କରିବାରେ ସଫଳ ହୋଇନାହାନ୍ତି । ଆଉ ଲୁଟ୍ ଉଦ୍ୟମର ଲାଇଭ ଦୃଶ୍ୟ ରେକର୍ଡ ହୋଇଛି ସିସିଟିଭିରେ । ଅଭିଯୋଗ ପାଇ ପୋଲିସ ସିସିଟିଭି ଫୁଟେଜ ଯାଂଚ କରୁଥିବାବେଳେ ଲୁଟେରାଙ୍କ ଟେର ପାଇପାରିନାହିଁ ।

 

ଅଭିଯୋଗ ଅନୁସାରେ, ନାଗେଶ୍ୱରଟାଙ୍ଗୀରେ ରୁହନ୍ତି ପିଂଟୁ ଭୂୟାଁଙ୍କ ପରିବାର । ଗତକାଲି ପିଂଟୁ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ । ଘର ଆଗରେ କାରରେ ବସୁଥିବାବେଳେ ଦୁଇଜଣ ଲୁଟେରା ଏକ ବାଇକରେ ଆସି ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନକୁ ଝାମ୍ପିଥିଲେ । କିନ୍ତୁ ଶ୍ରୀମତି ଭୂୟାଁ ଚେନକୁ ଚାପି ଧରିବାରୁ ଲୁଟେରା ଲୁଟ ଉଦ୍ୟମରେ ସଫଳ ହୋଇନଥିଲେ । ପିଂଟୁ ଭୂୟାଁ ଗାଡିରୁ ଓହ୍ଲାଇବାବେଳକୁ ଦୁଇ ଲୁଟେରା ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ସେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି । ରାଜଧାନୀରେ ଏଭଳି ପ୍ରତ୍ୟେକ ଦିନ ସୁନା ସହ ମାଳମାଳ ମୋବାଇଲ ଲୁଟ୍ ହେଉଛି । ଏହା ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।