କେତେ କ୍ଷୟକ୍ଷତି କରିଛି ବାତ୍ୟା ତିତଲି : ଅନୁଧ୍ୟାନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍

ତିତିଲି ବାତ୍ୟା ପ୍ରଭାବିତ ୩ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ

60

କନକ ବ୍ୟୁରୋ : ତିତଲି ବାତ୍ୟା ପ୍ରଭାବିତ ୩ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ କେ ସାହିଙ୍କ ନେତୃତରେ ଟିମ୍ ଓଡିଶା ଆସୁଛନ୍ତି । ଏକ ୭ ଜଣିଆ ପ୍ରତିନିଧି ଦଳ ଗଂଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ପ୍ରଭାବିତ ସ୍ଥାନକୁ ଯାଇ କ୍ଷୟକ୍ଷତି ଆକଳନ କରିବେ । ଦୁଇତାରିଖ ଅପରାହ୍ନରେ ଟିମ ସଚିବାଳୟରେ ମୁଖ୍ୟ ଶାସନସଚିବଙ୍କୁ ସାକ୍ଷାତ କରିବା ସହ କେନ୍ଦ୍ରକୁ କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରଦାନ କରିବେ । ତେବେ ଏହାପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ସାହାଯ୍ୟ ପାଇଁ ଦୁଇ ହଜାର ୭ ଶହ ୭୦ କୋଟି ଟଙ୍କା ମାଗିଛନ୍ତିି । ତିତଲି ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷବାସ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଗୋପାଳନ, ମତ୍ସ୍ୟ ଚାଷ, ହସ୍ତତନ୍ତ ଓ ସେରିକଲଚର୍ ପାଇଁ ମଧ୍ୟ ସହାୟତା ପ୍ୟାକେଜ୍ ଦେଇଛନ୍ତି ରାଜ୍ୟ ସରକାର । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସବସିଡି ଘୋଷଣା କରାଯାଇଛି । ଅଣଜଳସେଚିତ ଅଂଚଳରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ବର୍ଷିକିଆ ଫସଲ ଯଥା ଆମ୍ବ, କାଜୁ, ନଡ଼ିଆ, ପାନ ବରଜ ପାଇଁ ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୧୮ ହଜାର ଟଙ୍କା । ସେହିପରି ତିତଲି ପ୍ରଭାବିତ ଚାଷୀଙ୍କୁ ୨ ଲକ୍ଷ ବିହନ କିଟ୍ ପ୍ରଦାନ କରାଯିବ । ୨୦ ହଜାର ହେକ୍ଟର ଜମିରେ ନଷ୍ଟ ହୋଇଥିବା ଆମ୍ବ, କାଜୁ, କଦଳୀ, ନଡ଼ିଆ ଫସଲର ପୁନରୁଦ୍ଧାର ପାଇଁ ତିନି ବର୍ଷିଆ ସହାୟତା ଦିଆଯିବ । ହେକ୍ଟର ପିଛା ୨୦ ହଜାର ଟଙ୍କା ହାରରେ ପ୍ରଭାବିତ ଆଖୁ ଚାଷୀଙ୍କୁ ସହାୟତା ମିଳିବ ।

 

୫୦ ପ୍ରତିଶତ ରିହାତି ଦରରେ ଏକ ହଜାର ପମ୍ପ ସେଟ୍ ଯୋଗାଇ ଦିଆଯିବ । ସେହିପରି ଗାଈ ଓ ମଇଁଷି ପାଇଁ ୩୦ ହଜାର ଟଙ୍କା, ବାଛୁରୀ ପାଇଁ ୧୬ ହଜାର ଟଙ୍କା, ଛେଳି ପାଇଁ ୩ ହଜାର ଟଙ୍କା ଦିଆଯିବ । ୧୦ ହଜାର ଲୋକଙ୍କୁ ଗାଈ ଗୁହାଳ ପାଇଁ ମିଳିବ ୧ ଲକ୍ଷ ୧୩ ହଜାର ଟଙ୍କା ଲେଖାଁଏ ସହାୟତା । ଆଉ ୧୦ ହଜାର ଚାଷୀଙ୍କୁ ଛେଳି ଗୁହାଳ ପାଇଁ ମିଳିବ ୪୪ ହଜାର ଟଙ୍କା । ହଜାରେ ଚାଷୀଙ୍କୁ ଛେଳି ଚାଷ ପାଇଁ ୬୬ ହଜାର ଟଙ୍କାର ୟୁନିଟରେ ୭୫ ପ୍ରତିଶତ ରିହାତି ଦିଆଯିବ । ପ୍ରଭାବିତ ଅଂଚଳର ୫ ହଜାର ଚାଷୀଙ୍କୁ ୫୦୦ କେଜିର ଗୋଖାଦ୍ୟ ଯୋଗାଇ ଦିଆଯିବ । ଯେଉଁମାନଙ୍କ ଗାଈର ମୃତ୍ୟୁ ଘଟିଛି ସେମାନଙ୍କ ଜୀବନ ଜୀବୀକା ପାଇଁ ୩୫୦ଟି ଗାଈ ଦିଆଯିବାକୁ ନିଷ୍ପତି ହୋଇଛି । ୩୭ଟି କ୍ଷେତ୍ରରେ ଏହି ସହାୟତା ରାଶି ମିଳିବ । ୩୩ ପ୍ରତିଶତ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ଭୂମି କର ଓ ପାଣି କର ଛାଡ଼ କରାଯାଇଛି । ସେହିପରି ସ୍କୁଲ ଫି’ ଓ ପରୀକ୍ଷା ଫିସ୍ ମଧ୍ୟ ଛାଡ୍ କରାଯାଇଛି । ଦୁଇ ପେୟାର୍ ସ୍କୁଲ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ।