ଅସ୍ତ୍ରୋପଚାର ଗୃହରେ ଅଚେତ ହୋଇ ପଡିଥିଲେ ରୋଗୀ : ନିଜ ଦାୟିତ୍ୱ ଭୁଲି ସେଲଫି ନେଲେ ମହିଳା ଡାକ୍ତର 

142

କନକ ବ୍ୟୁରୋ : ଅସ୍ତ୍ରୋପଚାର ଗୃହରେ ଉଠାଇଲେ ସେଲଫି । ତାହା ପୁଣି ଆଉ କେହି ନୁହେଁ, ଖୋଦ୍ ଅପରେସନ୍ କରୁଥିବା ଡାକ୍ତର କରିଛନ୍ତି ଏପରି କାରନାମା । ଅସ୍ତ୍ରୋପଚାର ଗୃହରେ ରୋଗୀ ନିସ୍ତେଜ ହୋଇ ପଡି ରହିଥିବା ବେଳେ ସେଲଫି ଉଠାଇବାରେ ବ୍ୟସ୍ତ ଡାକ୍ତର । ଏମିତି ଏକ ଘଟଣା ନଜର ଆସିଛି କୋରାପୁଟ ଜିଲ୍ଲା ଜୟପୁର ମେଡିକାଲରେ । ନିକଟ ଅତୀତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିବା ଜୟପୁର ମେଡିକାଲରେ ଏପରି ଘଟଣାକୁ ନେଇ ଏବେ ସହରରେ ହୋଇଛି ଚର୍ଚ୍ଚା । ଖବର ଅନୁଯାୟୀ ପ୍ରସବ ପାଇଁ ଜଣେ ଗର୍ଭବତୀଙ୍କୁ ଓଟି ଭିତରେ ଭର୍ତି କରାଯାଇଥିଲା । ଆଉ ଅପରେସନ୍ ପାଇଁ ପ୍ରସ୍ତୁତ ହୋଇ ଓଟି ଭିତରକୁ ଯାଇଥିଲେ ୪ ଜଣ ଡାକ୍ତର । 

ଏମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଡାକ୍ତର ବି ଥିଲେ । ତେବେ ଅପରେସନ୍ ପାଇଁ ଯାଇଥିବା ଡାକ୍ତରାଣୀ ସସ୍ମିତା ଦାସ ନିଜ ମୋବାଇଲ ଫୋନ୍ ନେଇ ଭିତରକୁ ଯାଇଥିଲେ । ଆଉ ନିଜ ପ୍ରଥମ କାମକୁ ଭୁଲି ସେଲଫି ନେବାରେ ବ୍ୟସ୍ତ ରହିଥିଲେ । ସବୁଠାରୁ ବଡ କଥା ହେଉଛି ଓଟି ଭିତରେ ଥିବା ନିୟମକୁ ମଧ୍ୟ ଉଲ୍ଲଂଘନ କରିଥିଲେ ନିଜେ ଡାକ୍ତରାଣୀ । ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏ ସଂପର୍କରେ ସିଡିଏମଓଙ୍କ କହିବା କଥା ହେଲା କୌଣସି ପରିସ୍ଥିତିରେ ଓଟି ଭିତରେ ସେଲଫି ନେବା ଭୁଲ । ଏହାସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ କହିଛନ୍ତି ।