ସିବିଆଇକୁ ସୁପ୍ରିମକୋର୍ଟଙ୍କ ଝଟକା ! କହିଲେ, ପ୍ରଥମେ ପ୍ରମାଣ ଆଣ ତା’ପରେ ଆସନ୍ତାକାଲି ଶୁଣାଣି ହେବ

818

କନକ ବ୍ୟୁରୋ : ସିବିଆଇକୁ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ । କୋଲକାତାରେ ଲାଗି ରହିଥିବା ସିବିଆଇ-ପଶ୍ଚିମବଙ୍ଗ ପୁଲିସ ବିବାଦ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରି ପ୍ରଧାନ ବିଚାରପତି କହିଛନ୍ତିି କମିଶନ ଦସ୍ତାବିଜ୍ ନଷ୍ଟ କରିଥିବାର ପ୍ରମାଣ ଆଣ, ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ଆଉ ଯଦି କମିଶନରଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କିତ ପ୍ରମାଣ ଅଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସିବିଆଇକୁ ପ୍ରଧାନବିଚାରପତି କହିଛନ୍ତି ପ୍ରଥମେ ପ୍ରମାଣ ଉପସ୍ଥାପନ କର, ଯଦି କମିଶନରଙ୍କ ବିରୋଧରେ ପ୍ରମାଣ ଥାଏ ଓ ସେ ଦୋଷି ହୋଇଥାନ୍ତି ତାହାହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ଚିଟଫଣ୍ଡ ଦୁର୍ନୀତି ତଦନ୍ତରେ ବାଧା ଉପୁଜାଉଥିବା ଅଭିଯୋଗରେ ମମତା ସରକାର ବିରୋଧରେ ପିଟିସନ ଦାଖଲ କରିଛି ସିବିଆଇ । ଏହା ସହିତ କୋଲକାତା କମିଶନର ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି ସମ୍ପର୍କୀତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କରିଛି ସିବିଆଇ । ପଶ୍ଚିମବଙ୍ଗ ପୁଲିସ ତଦନ୍ତରେ ସିବିଆଇକୁ ସହଯୋଗ କରୁନାହିଁ । ତେଣୁ ତଦନ୍ତରେ ସହଯୋଗ କରିବାକୁ ସର୍ବୋଚ୍ଚନ୍ୟାୟାଳୟ କମିଶନରଙ୍କୁ ନିର୍ଦ୍ଦେଶ ଦେବାକୁ ସିବିଆଇ ଆବେଦନ କରିଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ବିବାଦ ନେଇ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଗତକାଲିଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ୍ ଡ୍ରାମା ନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି ରାଜନାଥ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଡାକିଥିବା ରାଜନାଥଙ୍କୁ କହିଛନ୍ତି ରାଜ୍ୟପାଳ । ଏହି ବିବାଦ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୀକ୍ଷଣ ନଜର ରଖିଛି ।

ସେପଟେ କୋଲାକତାସ୍ଥିତ ସିବିଆଇ କାର୍ଯ୍ୟାଳୟକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିଆରପିଏଫର ଯବାନମାନେ ସିବିଆଇ କାର୍ଯ୍ୟାଳୟକୁ ଚାରିପାଖରୁ ଘେରି ରହିଛନ୍ତି । ଗତକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମୁହାଁମୁହିଁ ହେବା ପରେ ସିବିଆଇ କାଯ୍ୟାଳୟକୁ ଘେରାଉ କରିଥିଲା ବେଙ୍ଗଲ ପୁଲିସ୍ । ହେଲେ ସିଆରପିଏଫ୍ ଯବାନମାନେ ମୂତୟନ ହେବା ପରେ ସେଠାରୁ ପୁଲିସ ହଟିଯାଇଥିବା ଜଣାପଡିଛି ।