ସ୍ମାର୍ଟ ସିଟିରେ ଭାସିଲା କାର ! ଅସରାଏ ବର୍ଷାରେ ବଦଳିଗଲା ଭୁବନେଶ୍ୱରର ରୂପ । ରାଜଧାନୀରେ ଲୋକ ଦେଖିଲେ ବନ୍ୟାର ପରିସ୍ଥିତି ।

25

କନକ ବ୍ୟୁରୋ : ସାଧରଣତଃ ନଦୀକୂଳିଆ ଅଞ୍ଚଳରେ ବର୍ଷା ଦିନରେ କିମ୍ବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଥାଏ । କିନ୍ତୁ ଘଣ୍ଟାଏ ବର୍ଷାରେ ସ୍ଥିତି ଏମିତି ଉପୁଜିବ ଯେ ସହରରେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ଭାସିବା ଦୃଶ୍ୟ ହୁଏତ ଆପଣକୁ କମ୍ ଦେଖିବାକୁ ମିଳିଥିବ । ତାହା ପୁଣି ରାଜ୍ୟର ରାଜଧାନୀ ସ୍ମାର୍ଟ ସିଟିରେ । ହେଲେ ଏମିତି କିଛି ବନ୍ୟା ପରିସ୍ଥିତି ଉପୁଜିଛି ରାଜଧାନୀ ଭୁବନେଶ୍ୱରରେ । ଘଣ୍ଟାଏ ବର୍ଷାରେ ରାଜଧାନୀର ପ୍ରମୂଖ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ବନ୍ୟାଞ୍ଚଳ ପରି ପାଲଟିଛି ।

ଘଣ୍ଟାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ହୋଇଗଲା ବନ୍ୟା । ଦେଶର ପ୍ରଥମ ସ୍ମାର୍ଟ ସିଟିଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଭାସିଲା କାର, ବାଇକ ଓ ସାଇକେଲ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ସୌଭାଗ୍ୟ ନଗର, ଇସ୍କନ ମନ୍ଦିର ଏବଂ ସିଆରପି ଛକରେ ଅସରାଏ ବର୍ଷାରେ ରାସ୍ତାରେ ଯାନ ବାହାନ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏବଂ ଭୁବନେଶ୍ୱରର ଏଭଳି ବନ୍ୟା ପରିସ୍ଥିତିକୁ ଲୋକମାନେ ଭିଡିଓ କରି ମୋବାଇଲରୁ ମୋବାଇଲ ଭାଇରାଲ କରୁଛନ୍ତି । ଜାତୀୟ ରାଜପଥରେ ଏଭଳି ବନ୍ୟା ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ରାଜଧାନୀବାସୀ । କାରଣ ଦେଶର ପ୍ରଥମ ସ୍ମାର୍ଟ ସିଟିରେ ଏଭଳି ଘଣ୍ଟାଏ ବର୍ଷା ହେବାରୁ ବନ୍ୟାଞ୍ଚଳ ରୂପରେ ପରିଣତ ହୋଇଛି । ଅନେକ ସ୍ଥାନରୁ ନିଷ୍କାସନ ହୋଇପାରୁ ନାହିଁ ବର୍ଷା ଜଳ ।

ବିଏମସି ତରଫରୁ ରାଜଧାନୀର ପ୍ରମୂଖ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଷା ଦିନରେ ସମସ୍ତ ଜଳ ନିଷ୍କାସନ ପଥ ଅବରୋଧ ହୋଇ ପଡୁଛି । ବିଶେଷ କରି ୱାଟର ଡ୍ରେନେଜ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ କରିବାରେ ଅବହେଳା କରୁଛନ୍ତି ବିଏମସି କର୍ତ୍ତୁପକ୍ଷ ବୋଲି ଅଭିଯୋଗ କରିଛନ୍ତି ସାଧାରଣଲୋକ । ତେଣୁ ଘଣ୍ଟାଏ ବର୍ଷାରେ ଏଭଳି ଉପାନ୍ତ ଅଞ୍ଚଳ ଭଳି ରାଜଧାନୀରେ ମଧ୍ୟ ବନ୍ୟା ପରିସ୍ଥିିତି ଉପୁଜୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।