୧ ଜୁଲାଇକୁ ‘ଜିଏସଟି ଦିବସ’ ରୂପେ ପାଳନ କରିବେ ମୋଦି ସରକାର : ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ପର୍ବ

27

କନକ ବ୍ୟୁରୋ : ସାମଗ୍ରୀ ଓ ସେବା ଟିକସ (ଜିଏସଟି)କୁ ଜୁଲାଇ ୧ ତାରିଖରେ ବର୍ଷେ ପୂରିବାକୁ ଯାଉଛି । ଅର୍ଥ ମନ୍ତ୍ରାଳୟ ସୂଚନା ଅନୁସାରେ ୨୦୧, ୧ ଜୁଲାଇ (ରବିବାର)କୁ ଜିଏସଟି ଦିବସ ପାଳନ କରାଯିବ । କେନ୍ଦ୍ରୀୟ ରେଳ, କୋଇଲାମନ୍ତ୍ରୀ ପୀୟୁଷ ଗୋୟଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସୂଚନା ଅନୁସାରେ ଜିଏସଟିରେ ପ୍ରାୟ ଏକ ଡର୍ଜନ ଟାକ୍ସ ମିଶାଇ ଦିଆଯାଇଛି । କେନ୍ଦ୍ରୀୟ ସ୍ତରରେ ଲଗାଯାଉଥିବା ଉତ୍ପାଦ ଶୁଳ୍କ, ରାଜ୍ୟରେ ଲାଗୁଥିବା ଭାଟ୍ ଓ ଅନେକ ସ୍ଥାନୀୟ ଶୁଳ୍କକୁ ଜିଏସଟିରେ ମିଶାଇ ଦିଆଯାଇଛି, ଯାହା ଫଳରେ ଦେଶରେ ଏକ ଦେଶ ଏକ ଶୁଳ୍କ ବ୍ୟବସ୍ଥା ନିୟମ ଲାଗୁ ହୋଇଯାଇଛି ।

ତେବେ  ଆଗାମୀ ଦିନରେ ଆହୁରି ଅଧିକ ସାମଗ୍ରୀ ଓ ସେବା ଉପରୁ ଜିଏସ୍‌ଟି ହାର ହ୍ରାସ କରାଯିବ ବୋଲି ଜଣାଯାଇଛି ।  ବିଶେଷକରି ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସିମେଣ୍ଟ, ରଙ୍ଗ ଏବଂ ବୟନ ସାମଗ୍ରୀ ଆଦି ଉତ୍ପାଦର ଜିଏସ୍‌ଟି ହ୍ରାସ କରାଯିବ । ୨୯ଟି ସାମଗ୍ରୀ ଓ ୫୩ଟି ସେବାର ଜିଏସ୍‌ଟି ହାରରେ ପରିବର୍ତ୍ତନ ଆଣିବାର କିଛି ମାସ ପରେ ଜିଏସ୍‌ଟି ପରିଷଦ ଆଗାମୀ ଦିନରେ ଉପରୋକ୍ତ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜଣାଯାଇଛି । ଏତଦ୍‌ ବ୍ୟତୀତ ଅନ୍ୟ କେତେକ ସାମଗ୍ରୀର ଟିକସ ହାରକୁ ମଧ୍ୟ ପରିଷଦ ଏପଟ ସେପଟ କରିବା ସମ୍ଭାବନା ରହିଛି । ବିଶେଷକରି ଯେଉଁ ସାମଗ୍ରୀର ଟିକସ ହାର ଅଧିକ ରହିଛି ଏବଂ ସରକାର ସେସବୁରୁ ଅଧିକ ରାଜସ୍ୱ ପାଉନାହାନ୍ତି ସେଗୁଡ଼ିକରେ ପରିବର୍ତ୍ତନ ଆଣିବେ ।

୮୦ ପ୍ରତିଶତ ରାଜସ୍ୱ ସରକାର ଖୁବ୍‌ କମ୍‌ ସାମଗ୍ରୀରୁ ପାଉଥିବାବେଳେ ବହୁ ଅଧିକ ସାମଗ୍ରୀ ଉପରୁ ମାତ୍ର ୨୦ ପ୍ରତିଶତ ରାଜସ୍ୱ ପାଉଛନ୍ତି । ଏହାକୁ ୮୦: ୨୦ ଫର୍ମୁଲା କୁହାଯାଉଛି । ତେଣୁ ଆଗାମୀ ଦିନରେ ଅନେକ ସାମଗ୍ରୀର ଜିଏସ୍‌ଟି କମାଇବା ନେଇ ଅନୁଧ୍ୟାନ କରୁଛୁ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ।  ଗତବର୍ଷ ନଭେମ୍ବରରେ ଗୌହାଟିଠାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ସିମେଣ୍ଟର ଜିଏସ୍‌ଟିକୁ ୨୮ ପ୍ରତିଶତରୁ କମାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।

କିନ୍ତୁ ଅନ୍ୟାନ୍ୟ ସାମଗ୍ରୀ ଉପରେ କରାଯାଇଥିବା ଟିକସ ହ୍ରାସ ଯୋଗୁଁ ସରକାରଙ୍କୁ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବାରୁ ସିମେଣ୍ଟର ଶୁଳ୍କ ହ୍ରାସକୁ ପରେ ସ୍ଥଗିତ ରଖାଯାଇଥିଲା । ସେହି ସମୟରେ ୨୦୦ରୁ ଊର୍ଧ୍ୱ ସାମଗ୍ରୀର ଜିଏସ୍‌ଟି ହ୍ରାସ କରାଯାଇଥିଲା । ୧୭୬ଟି ସାମଗ୍ରୀର ଜିଏସ୍‌ଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଥିଲା । ଫଳରେ ସର୍ବାଧିକ ବା ୨୮ ପ୍ରତିଶତ ଟିକସ ହାରରେ କେବଳ ୫୦ଟି ସାମଗ୍ରୀ ରହିଥିଲା । ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ ହେଲା ୨୮ ପ୍ରତିଶତ ଟିକସ ବର୍ଗରେ ଥିବା ସାମଗ୍ରୀ ସଂଖ୍ୟାକୁ ଯଥାସମ୍ଭବ କମ୍‌ କରିବା । ଏଥିସହିତ ୧୮ ପ୍ରତିଶତ ଏବଂ ୧୨ ପ୍ରତିଶତ ଟିକସ ହାରକୁ ମିଶାଇ ଏକ ନୂଆ ଟିକସ ହାର ପ୍ରଚଳନ କରିବା ।