ଲାଗିଲା ନୂଆ ଅଖ ! ୨୪ ଘଂଟା ଭିତରେ ସଜଡା ହେଲା ଦେବଦଳନ

60

କନକ ବ୍ୟୁରୋ : ଦେବୀ ସୁଭଦ୍ରାଙ୍କ ରଥରେ ଲାଗିଲା ନୂଆ ଅଖ । ଭାଂଗିବାର ୨୪ ଘଂଟା ମଧ୍ୟରେ ଦେବଦଳନ ରଥରେ ନୂଆ ଅଖ ଲଗାଯାଇଛି । କ୍ରେନ୍ ସାହାଯ୍ୟରେ ପ୍ରଥମେ ରଥକୁ ଉପରକୁ ଉଠାଯାଇଥିଲା । ପରେ ରଥ ଚକ ତଳକୁ ୬ ଫୁଟ୍ ଯାଏଁ ଖୋଳାଯାଇଥିଲା । ତାପରେ ନୂଆ ଅଖକୁ ରଥ ଚକ ସହ ଯୋଡା ଯାଇଛି । ଗତକାଲି ଦେବୀ ସୁଭଦ୍ରାଙ୍କ ରଥର ବ୍ରେକ୍ ଚକ ଅଖ ଭାଂଗି ଯାଇଥିଲା । ଫଳରେ ଗୋଟିଏ ପାଖକୁ ଢଳିପଡିଥିଲା ଦେବଦଳନ ।

ରଥଯାତ୍ରାକୁ ଆଉ ଦୁଇ ଦିନ ଥିବା ବେଳେ ଏଭଳି ଅଘଟଣ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ତେବେ ରଥ ତିଆରି କରୁଥିବା ବିଶ୍ୱକର୍ମା ଓ ସେବାୟତ କହିଥିଲେ ଆଗରୁ ବି ଏମିତି ହୋଇଛି ଏବଂ ଏହାର ସମାଧାନ ଶୀଘ୍ର କରାଯିବ । ରଥ ନିର୍ମାଣ ବୈଷୟିକ କମିଟି ଓ ପୂର୍ତ ବିଭାଗ ଟିମର ଯାଂଚ ପରେ ରଥ ଚକ ଅଖ ବଦଳାଇବାକୁ ନିଷ୍ପତି ହୋଇଥିଲା । ଏବେ ରଥରେ ଲାଗିଛି ନୂଆ ଅଖ । ତେବେ ପ୍ରଶ୍ନ ଉଠିଛି, ରଥ ତିଆରି ପୂର୍ବରୁ ଅଖ କାଠର ଯାଂଚ୍ ହୋଇନଥିଲା କି । ରଥ ତଦାରଖ କମିଟି ରଥ କାମର ଅନୁଧ୍ୟାନ କରିନଥିଲା କି ।