କନକ ବ୍ୟୁରୋ : ରତ୍ନଭଣ୍ଡାରକୁ ନେଇ ବିଭିନ୍ନ ଚର୍ଚା ଭିତରେ ଆଜି କେହି କେବେ ଶୁଣିନଥିବା ଭଳି ଏକ ଚର୍ଚା ସାମ୍ନାକୁ ଆସିଛି । ବରିଷ୍ଠ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାଷ୍କର ମିଶ୍ର, ରତ୍ନଭଣ୍ଡାରରେ ଏକ ରହସ୍ୟମୟ ହୀରା ଥିବା ନେଇ ବହିରେ ଲେଖିଛନ୍ତି । ୧୯୭୮ମସିହାରେ ଯେତେବେଳେ ରତ୍ନଭଣ୍ଡାର ଖୋଲାଯାଇଥିଲା, ସେହି ସମୟରେ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ସେବାୟତ, ଭୀମସେନ ଗୋଚ୍ଛିକାର ଓ ନରସିଂହ ଦାସମହାପାତ୍ରଙ୍କ ବୟାନକୁ ଆଧାର କରି ଏହି ତଥ୍ୟ ଦେଇଛନ୍ତି ଡକ୍ଟର ଭାଷ୍କର ମିଶ୍ର । ଶ୍ରୀମନ୍ଦିରରର ରତ୍ନଭଣ୍ଡାରରେ ଏଭଳି ଏକ ରହସ୍ୟମୟ ହୀରା ରହିଥିବା ନେଇ ତଥ୍ୟ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ।

ତାରିଖ- ୨୩ ଜୁଲାଇ ୧୯୭୮ । ଶ୍ରୀମନ୍ଦିର ଭିତର ଭଣ୍ଡାରରେ ଚାଲିଥାଏ ମହାପ୍ରଭୁଙ୍କ ମୂଲ୍ୟବାନ ସ୍ୱର୍ଣ୍ଣ ଆଭୁଷଣର ହିସାବ ନିକାସ । ରତ୍ନଜଡିତ ସ୍ୱର୍ଣ୍ଣ ଅଳଙ୍କାର ଗୁଡିକର ଆକଳନ ପାଇଁ ଗୁଜରାଟ ଅହମ୍ମଦାବାଦରୁ ଆସିଥାନ୍ତି ଦୁଇଜଣ ପ୍ରଖ୍ୟାତ ଜହୁରୀ ଅର୍ଥାତ ବଣିଆ । ମୂଲ୍ୟବାନ ରତ୍ନ ଆଭୁଷଣର ମୂଲ୍ୟ ଆକଳନ କରିବାରେ ବିଶେଷ ଅଭିଜ୍ଞତା ଥିବା ଏହି ଦୁଇ ଜହୁରୀ, ଶ୍ରୀମନ୍ଦିର ଭିତର ଭଣ୍ଡାରେ ଥିବା ସିନ୍ଦୁକ ଖୋଲି ଗୋଟି ଗୋଟି କରି ପରଖୁ ଥାନ୍ତି ଆଉ ଏଗୁଡିକର ମୂଲ୍ୟ ଆକଳନ କରୁଥାନ୍ତି । ପାଖରେ ବି ଥାନ୍ତି ରତ୍ନଭଣ୍ଡାର ସବ କମିଟିର ସଦସ୍ୟ ଭୀମସେନ ଗୋଛିକାର ଓ ନରସିଂହ ଦାସମହାପାତ୍ର ।

ratna bhandarଦୁଇ ଜୋହରୀ ଯେତେଯେତେ ସ୍ୱର୍ଣ୍ଣ ଆଭୁଷଣ ଦେଖୁଥାନ୍ତି ସେତେସେତେ ଆଶ୍ଚର୍ଯ୍ୟ ହେଉଥାନ୍ତି । ଏମିତି ପ୍ରାୟ ୨୬ଟି ରତ୍ନଖଚିତ ସ୍ୱର୍ଣ୍ଣ ଆଭୁଷଣ ଦେଖିବା ପରେ ହଠାତ ନଜର ପଡିଲା କିଛି ଦୂରରେ ଚକଚକ କରୁଥିବା ଏକ ଦୁର୍ମୂଲ୍ୟ ହୀରା ଉପରେ । ସୂର୍ଯ୍ୟ କିରଣ ପଡୁନଥିବା ଭିତର ଭଣ୍ଡାର ଘରେ ଖୁବ ଉଜ୍ୱଳ ଦେଖାଯାଉଥିବା ଏହି ହୀରାକୁ ଦେଖି ଦୁଇ ଜୋହରୀଙ୍କ ଆଖି ଲାଖିଯାଇଥିଲା । କାରଣ ଏତେ ବର୍ଷର ଅଭିଜ୍ଞତା ଭିତରେ ସେମାନେ ଏଭଳି ଉଜ୍ୱଳ ରତ୍ନପଥର କେବେ ଦେଖିନଥିଲେ । ପାଖରେ ଛିଡା ହୋଇଥିବା ରତ୍ନଭଣ୍ଡାର ସବକମିଟିର ଦୁଇ ସଦସ୍ୟ ବି ଏହି ମୂଲ୍ୟବାନ ହୀରାକୁ ଦେଖି ତଟସ୍ଥ ହୋଇଯାଇଥିଲେ । ଆଉ ସବୁଠାରୁ ରହସ୍ୟମୟ କଥାଟି ହେଉଛି ଏହି ହୀରାକୁ ଦେଖିବା ପରେ ଜହୁରୀମାନେ ପ୍ରତିକ୍ରିୟା ଦେଇଥିଲେ ଯେ ଏଭଳି ହୀରା ବିଶ୍ୱରେ କ୍ୱଚିତ ମିଳେ । ଏହା ଅମୂଲ୍ୟ । ଏବଂ ଏହାକୁ ଆକଳନ କରିବା ସେମାନଙ୍କ ପକ୍ଷେ ଅସମ୍ଭବ । ଯେଉଁଥିପାଇଁ ସେହିଠାରୁ ରତ୍ନ ଭଣ୍ଡାରରେ ଶ୍ରୀଜୀଉଙ୍କ ଆଭୁଷଣର ଆକଳନ ବନ୍ଦ ରଖିବାକୁ ନିଷ୍ପତି ନେଲେ ।

ମାସିକ ପତ୍ରିକା ପୌରୁଷରେ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାଷ୍କର ମିଶ୍ର ଲେଖିଥିବା ଆଲେଖ୍ୟରେ ଏ ସଂପର୍କରେ ବର୍ଣ୍ଣନା କରିଛନ୍ତି । କିଛି ପୂରାତନ ପତ୍ର ପତ୍ରିକାରେ ପ୍ରକାଶିତ ପୂର୍ବତନ ପ୍ରଶାସକ ଶରତ ମହାପାତ୍ରଙ୍କ ଏକ ପ୍ରବନ୍ଧରୁ ଉଦ୍ଧାର କରି ସେ ଏହି ତଥ୍ୟ ଦେଇଥିବା କଥା କନକ ନ୍ୟୁଜକୁ କହିଛନ୍ତି । ଡକ୍ଟର ଭାସ୍କର ମିଶ୍ରଙ୍କ ଏହି ତଥ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରୁଛି । ଏହାଛଡ଼ା ମହାପ୍ରଭୁ ଧାରଣ କରୁଥିବା ବ୍ରହ୍ମଜ୍ୟୋତି ହୀରା ବାବଦରେ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଭାସ୍କର ମିଶ୍ର । ତାଙ୍କ କହିବା ଅନୁଯାୟୀ, ମହାପ୍ରଭୁ ଧାରଣ କରିଥିବା ବହ୍ମଜ୍ୟୋତି ହୀରା ଯଦି କେହି ବର୍ଷକ ପର୍ଯ୍ୟନ୍ତ ଧାରଣ କରେ ତେବେ ସିଏ ତରଳି ଯିବ । ତେଣୁ ପରମ୍ପରା ଅନୁଯାୟୀ, ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନିକଟରୁ ଏହି ହୀରା କାଢ଼ି ନିଆଯାଇଥାଏ ଓ ଚିତା ଲାଗି ଅମାବାସ୍ୟାରେ ପୁଣିଥରେ ଲାଗି କରାଯାଇଥାଏ ।ଏହାଛଡ଼ା ୧୯୭୮ରେ ଶ୍ରୀମନ୍ଦିର ଭିତର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଆଭୁଷଣର କେବଳ ତାଲିକା କରାଯାଇଛି । ଅର୍ଥାତ କି ପ୍ରକାର ଅଳଙ୍କାର କେତେ ପରିମାଣରେ ଅଛି କେବଳ ତାର ଏକ ସୂଚି ପ୍ରସ୍ତୁତ ହୋଇଛି । କିନ୍ତୁ ଏଗୁୁଡିକର ମୂଲ୍ୟାୟନ ଆଜିଯାଏଁ ହୋଇପାରି ନାହିଁ । ୧୯୭୮ ରତ୍ନଭଣ୍ଡାର ତାଲିକା ପୁସ୍ତକ ଅନୁସାରେ ୩୬୭ ପ୍ରକାର ସୁନା ଅଳଙ୍କାର, ୨୩୧ ପ୍ରକାର ରୁପା ଅଳଙ୍କାର ଓ ପୂଜା ବାବଦୀୟ ଅନ୍ୟାନ୍ୟ ସାମଗ୍ରୀ ଭିତର ଭଣ୍ଡାରରେ ରହିଛି ।

ରତ୍ନଭଣ୍ଡାରର ପ୍ରମୁଖ ଅଳଙ୍କାର
ସୁବର୍ଣ୍ଣ ଶ୍ରୀପୟର (ବଡବାଡ) ୨୧୪୫ ଭରି
ସୁବର୍ଣ୍ଣ ଶ୍ରୀପୟର (ମହାପ୍ରଭୁ) ୨୬୨୪ ଭରି
ସୁବର୍ଣ୍ଣ ଶ୍ରୀଭୁଜ (ବଡବାଡ) ୧୮୬୨ ଭରି
ସୁବର୍ଣ୍ଣ ଶ୍ରୀଭୁଜ (ମହାପ୍ରଭୁ) ୧୯୨୬ ଭରି
ସୁବର୍ଣ୍ଣ ଶ୍ରୀମୁଖ ପଦ୍ମ ୧୯୨ ଭରି
ରତ୍ନଖଚିତ ସୁନାକୁଣ୍ଡଳ (ମହାପ୍ରଭୁ) ୨୩୯ ଭରି
ରତ୍ନଜଡିତ ରାମାନନ୍ଦି ଚିତା ୬୪ ଭରି
ରତ୍ନଜଡିତ ଚନ୍ଦିକା ୩୩ ଭରି
ରତ୍ନଜଡିତ ବାଘନଖ ୪୦ ଭରି
ସୁନା ଥାଳି (୪ଟି ରୁପା ଗୋଡ) ୨୪୮ ଭରି
ସୁନା ଥାଳି (୩ଟି ରୁପା ଗୋଡ) ୨୪୪ ଭରି
ସୁନା ଥାଳି (ସୁନାଗୋଡ) ୨୩୬ ଭରି
ସୁନା ଥାଳି (୪ଟି ରୁପା ଗୋଡ) ୨୫୦ ଭରି
ସୁନା ପଦକ (୬) ୧୦୬ ଭରି