ରାଜଧାନୀର ରାଜରାସ୍ତାରେ ନୂଆଁଖାଇଲେ ଶିକ୍ଷକ ! ଗଣେଶ ପୂଜା ପରେ ପାଳିଲେ ନୂଆଁଖାଇ

20

କନକ ବ୍ୟୁରୋ : ବ୍ଲକଗ୍ରାଂଟ ଭଳି ଘୃଣ୍ୟ ପ୍ରଥାର ଉଛେଦ ଦାବିରେ ବ୍ଲକଗ୍ରାଂଟ ଶିକ୍ଷକଙ୍କ ଓ ଆନ୍ଦୋଳନ ୧୧ ଦିନରେ ପହଁଚିଛି । ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଗତକାଲି ଆନ୍ଦୋଳନରତ ଶିକ୍ଷକମାନେ ରାସ୍ତାରେ ଗଣେଶ ପୂଜା କରିଥିବା ବେଳେ ଆଜି ନୂଆଁ ଖାଇଛନ୍ତି । ଦାବି ପୂରଣ ନହେବା  ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।

୧୬ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଥିବା ବ୍ଲକଗ୍ରାଂଟ ଶିକ୍ଷକ, ଅଧ୍ୟାପକଙ୍କ ଆନ୍ଦୋଳନ ପ୍ରଭାବରେ ସାରା ରାଜ୍ୟରେ ସ୍କୁଲଗୁଡିକରେ ପଡିଛି ତାଲା । ପୂର୍ଣ୍ଣ ଅନୁଦାନ ଦାବିରେ ସରକାରଙ୍କ ସହ ଏକପ୍ରକାର ମୁହାଁମୁହିଁ ହୋଇଛି ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ । ଅହୋରାତ୍ର ଧାରଣାରେ ବସିରହିଥିଲେ ବି ସରକାରଙ୍କ ପକ୍ଷରୁ ଆଲୋଚନା ନେଇ କୌଣସି ପଦକ୍ଷେପ ନିଆଯାଇଥିବା ଅଭିଯୋଗରେ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି । ଯାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପଡିଛି ।

ତେବେ ଗୋଟିଏ ପଟେ ଶିକ୍ଷକଙ୍କ ଆନ୍ଦୋଳନ, ଆଉଗୋଟିଏ ପଟେ ସରକାରଙ୍କ ଉଦାସୀନତା । ଏହାରି ଭିତରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି । ଆଗକୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପ୍ରିଟେଷ୍ଟ ପରୀକ୍ଷା ଥିବାରୁ ରାଉରକେଲାର ଏକ ସ୍କୁଲରେ ପାଳିକରି ପାଠ ପଢାଉଛନ୍ତି ସ୍କୁଲର ମେଧାବୀ ଛାତ୍ରଛୀତ୍ରୀ । ଏ ଖବର ଆଲୋଚନା ଓ ଚର୍ଚ୍ଚାର ବିଷୟ ପାଲଟିଛି ।