ମିଶନ୍-୧୯ ପାଇଁ ବିଜେପିର ମିଶ୍ରଣ ପର୍ବ : ଯୋଗଦେଲେ ପୂର୍ବତନ ବିଧାୟକ, ଟାର୍ଗେଟରେ କେନ୍ଦ୍ରପଡା ଓ ଯାଜପୁର

39

କନକ ବ୍ୟୁରୋ : ବିଜେପିର ମିଶ୍ରଣ ପର୍ବ । ଯାଜପୁର ଓ କେନ୍ଦ୍ରାପଡ଼ା ଭଳି ବିଜେଡି ଗଡରେ ପ୍ରବେଶ କରିବାକୁ ପ୍ରସ୍ତୁତି । ସତେଯେମିତି ନିର୍ବାଚନ ମୋଡକୁ ଆସିଯାଇଛି ଦଳ । ବିଜେଡିକୁ କାଉଣ୍ଟର କରିବା ପାଇଁ ରାଜ୍ୟ ବିଜେପିର ନେତା ନମ୍ବର ୱାନ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଚାଲିଛି ମିଶ୍ରଣ । ଅନ୍ୟାନ୍ୟ ଦଳରୁ ପ୍ରଭାବଶାଳୀ ନେତାଙ୍କୁ ସାମିଲ୍ କରି ମିଶନ ୨୦୧୯ ପାଇଁ ପ୍ରସ୍ତୁତ ହେଉଛି । ଏହି କ୍ରମରେ ଆଜି ଏନସିପିରୁ ଥରେ ବିଧାୟକ ଥିବା ଉତ୍କଳ କେଶରୀ ପରିଡା ଓ କଂଗ୍ରେସରୁ ବିଧାୟକ ରହିସାରିଥିବା ଦୋଳଗୋବିନ୍ଦ ନାୟକ ବିଜେପିରେ ଯୋଗଦେଇଛନ୍ତି ।

ପଂଚାୟତ ନିର୍ବାଚନରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଥିବା ରାଜ୍ୟ ବିଜେପିର ଲକ୍ଷ୍ୟ, ବିଜେଡିକୁ ଗାଦିଚ୍ୟୁତ କରିବା । ସେଥିପାଇଁ ମିଶ୍ରଣ ସମାବେଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରାପଡାରେ ବିଜେପି ତାର ଶକ୍ତି ବୃଦ୍ଧି କରିବାକୁ ସ୍ୱତନ୍ତ୍ର ରଣକୌଶଳ କରିଥିବାବେଳେ, ଦଳର ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ ବି କରିଛନ୍ତି ।

ମିଶ୍ରଣ ସମାବେଶ ପୂର୍ବରୁ ଜିଲ୍ଲାରେ ବଂଟାଯାଇଛି ଲିଫଲେଟ୍ । ଆଇଓସିଏଲରେ କେନ୍ଦ୍ରାପଡାର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ନମିଳିବାକୁ ପ୍ରସଙ୍ଗ କରି ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରାଯାଇଛି । ସେପଟେ କେହି ଦୁର୍ବୃତ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଥିବା ପୋଷ୍ଟରକୁ ଚିରି ଦେବା ସହ କେତେକ ସ୍ଥାନରେ ପୋଡି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏସବୁ ଭିତରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏହି ମିଶ୍ରଣ ସମାବେଶରେ ସାମିଲ୍ ନହେବା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାରେ ବିଜୟଙ୍କୁ ଅଣଦେଖା କରି ବିଜେପି ତାର ଶକ୍ତି ବୃଦ୍ଧି କରିବାକୁ ବିଶାଳ ସମାବେଶ କରିଛି । ଧର୍ମେନ୍ଦ୍ରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ଆଗରେ ରଖି ୨୦୧୯ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।