୧୧ ଦିନ ବିତିଗଲାଣି । ଏଯାଏଁ ବନ୍ଦ ହୋଇ ରହିଛି ହ୍ୟାକ୍ ହୋଇଥିବା ବିଜେପିର ଦଳୀୟ ୱେବସାଇଟ ।

82

କନକ ବ୍ୟୁରୋ : ବିଜେପିର ଦଳୀୟ ୱେବସାଇଟ ୧୧ ଦିନ ହେବ ହ୍ୟାକ୍ ହେବା ପରେ ମଧ୍ୟ ଏହା ଏଯାଏଁ ଆକ୍ଟିଭ ହୋଇନାହିଁ । ଗତ ମାର୍ଚ୍ଚ ୫ ତାରିଖରୁ ଏହି ୱେବସାଇଟ ହ୍ୟାକ୍ ହୋଇଥିଲା । ଆଉ ଏହାସହ ୱେବସାଇଟର ହୋମପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜର୍ମାନ ଚାନସେଲର ଆଞ୍ଜେଲ ମର୍କେଲଙ୍କ ଫଟୋ ଦେଖିବାକୁ ମିଳିଥିଲା । କିନ୍ତୁ ଏହାପରେ ଲଗାତାର ୧୦ ଦିନ ହେବ ଏହି ୱେବସାଇଟ ଅଫଲାଇନ ହୋଇ ରହିଥିବା ବେଳେ ଦଳ ପକ୍ଷରୁ ଏକ ମେସେଜ ବାର୍ତ୍ତା ଦିଆଯାଇଛି । ଯେଉଁଥିରେ ଦଳୀୟ ୱେବସାଇଟ ମରାମତି କରାଯାଉଥିବା ଉଲ୍ଲେଖ ରହିଛି । ଖୁବଶୀଘ୍ର ୱେବସାଇଟ ଆକ୍ଟିଭ ମୋଡକୁ ଆସିବ ବୋଲି ଦର୍ଶାଯାଇଛି ।

୧୧ ଦିନ ହେବ ଏହି ୱେବସାଇଟ ହ୍ୟାକ୍ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ଗ୍ରୁପ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି । ତେବେ ମାର୍ଚ୍ଚ ୧୨ରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ବିଜେପିର ୱେବସାଇଟ ମାତ୍ର କିଛି ମିନିଟ୍ ପର୍ଯ୍ୟନ୍ତ ହ୍ୟାକ୍ କରାଯାଇଥିଲା । ସମାଜରେ କିଛି ଦୃଷ୍ଟ ତତ୍ତ୍ୱ ରହିଛନ୍ତି ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି । କିନ୍ତୁ ହ୍ୟାକ୍ ହେବାର କିଛି ସମୟ ମଧ୍ୟରେ ୱେବସାଇଟକୁ ନିୟନ୍ତ୍ରଣ କରାଯାଇଥିଲା । କିନ୍ତୁ କେବେ ଯାଏଁ ୱେବସାଇଟ ଆକ୍ଟିଭ ମୋଡକୁ ଆସିବ ତାହା ସ୍ପଷ୍ଟ କରିନଥିଲେ ରବିଶଙ୍କର ।

ତେବେ ସାଇବର ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ୧୦ ଦିନ ପରେ ମଧ୍ୟ ୱେବସାଇଟକୁ ଠିକ୍ କରାଯାଇନାହିଁ ଯାହା ଏକ ଆଶ୍ଚର୍ଯ୍ୟର କଥା । ସାଧାରଣତଃ ୱେବସାଇଟକୁ ଠିକ୍ କରିବା ପାଇଁ ୨ରୁ ୩ ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ବିଜେପି ୱେବସାଇଟ୍ ହ୍ୟାକ୍ ହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଠିକ୍ ହୋଇପାରି ନାହିଁ । ଗୋଟିଏ ପଟେ ବିଜେପି ଆଇଟି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେଉଥିବା ନେଇ କହି ଆସୁଥିବା ବେଳେ ନିଜର ୱେବସାଇଟ ଠିକ୍ କରିବାକୁ ୧୦ ଦିନରୁ ଅଧିକ ସମୟ ନେବା ମୋଦି ସରକାରଙ୍କ ଆଇଟି ବିଫଳତାକୁ ପଦାରେ ପକାଇଛି ।