ବରଗଡ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଗର୍ଜିଲେ ରାହୁଲ: ଚାଷୀ, ବେରୋଜଗାର ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

କଂଗ୍ରେସ ଅଧ୍ୟକ୍ଷ କହିଲେ, ଶାସନକୁ ଆସିଲେ ପୁରଣ କରିବେ ରାଜ୍ୟରେ ଖାଲିଥିବା ସରକାରୀ ପଦବୀ

87

କନକ ବ୍ୟୁରୋ: ବରଗଡ ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲଙ୍କ ଗର୍ଜନ । ଚାଷୀ, ବେରୋଜଗାର ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଖାଲିଥିବା ସରକାରୀ ପଦ ପଦବୀ ପୂରଣ ହେବ । ସେପଟେ ରାହୁଲଙ୍କ ଘନ ଘନ ଓଡିଶା ଗସ୍ତ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିପାରିବ ନାହିଁ ବୋଲି କହିଛି ବିଜେପି ।

ପ୍ରାୟ ୨୦ବର୍ଷ ଧରି କ୍ଷମତା ଅଳିନ୍ଦରୁ ବାହାରେ ରହିଥିବା କଂଗ୍ରେସ ଦଳକୁ ନୂଆ ସଂଜିବନୀ ଦେବାପାଇଁ ରାହୁଲ ଗାନ୍ଧିଙ୍କ ପ୍ରୟାସ । ଜୟପୁରରେ ରାହୁଲ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ପ୍ରତିଶ୍ରୁତି ଦେବାପରେ ଆଜି ବରଗଡରେ କହିଛନ୍ତି କ୍ଷମତାକୁ ଆସିଲେ ପୂରଣ ହେବ ସବୁ ସରକାରୀ ପଦବୀ । ବରଗଡର ସରସରା ପଡିଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚାଷ, ଚାଷୀ ସମସ୍ୟା, ରୋଜଗାର ପ୍ରସଙ୍ଗକୁ ନେଇ ମୋଦି ଓ ନୀବନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ରାହୁଲ । ସେହିପରି ରାଫେଲ ବିବାଦରେ ମୋଦି ଓ ଅନିଲ ଅମ୍ବାନୀଙ୍କୁ କଡା ସମାଲୋଚନା କରିଛନ୍ତି ରାହୁଲ । ମୋଦି ଚାଷୀଙ୍କ ପାଇଁ ବଡ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀ ନୁହେଁ ବଡ ବନ୍ଧୁଙ୍କ ପାଇଁ ଋଣ ଛାଡ କଲେ ବୋଲି କହିଛନ୍ତି ରାହୁଲ ।

ସେପଟେ ରାହୁଲଙ୍କୁ କଡା ସମାଲୋଚନା କରିଛି ବିଜେପି । ବିଜେପି କହିଛି ରାହୁଲଙ୍କ ଘନ ଘନ ଓଡିଶା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ । ତାଙ୍କ ପ୍ରତିଶ୍ରୁତି ଧୂଆଁବାଣ ବୋଲି କହିଛି ବିଜେପି । ତେବେ ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ ବୋଲି ବେଶ ଦୃଢତାର ସହିତ କହିଛନ୍ତି ରାହୁଲ । ଏପରିକି ଛତିଶଗଡରେ ସରକାର ଆସିବା ପରେ କିପରି ଚାଷୀ ଋଣ ଛାଡ ହେଲା ସେ ପ୍ରସଙ୍ଗ ଉଠାଇ ଜନତାଙ୍କ ମଧ୍ୟରେ ୨୦୧୯ ନିର୍ବାଚନ ପାଇଁ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିଛନ୍ତି ରାହୁଲ ।