ବଦଳୁଛି ବାଲିକୁଦା-ଏରସମା ସମୀକରଣ: ବିଜେଡିକୁ ପ୍ରଭାବିତ କରିପାରିବେ କି ଦାମ? କଣ କହୁଛି ବିଜେଡି ଗଣିତ

ପ୍ରଶାନ୍ତ ମୁଦୁଲିଙ୍କ ସହ ହୋଇପାରେ ମୁକାବିଲା

319

କନକ ବ୍ୟୁରୋ: ବିଜେପି କ୍ୟାମ୍ପରେ ବରିଷ୍ଠ ନେତା ଦାମ ରାଉତ ସାମିଲ ହେବା ପରେ ସରଗରମ ହୋଇଛି ଜଗତସିଂହପୁର ରାଜନୀତି । ବାଲିକୁଦା-ଏରସମାରୁ ଲଢିବା ପାଇଁ ଦାମ ଗ୍ରୀନ ସିଗନାଲ ଦେବା ପରେ ଏବେ ପ୍ରଶ୍ନ ଉଠୁଛି ଦାମଙ୍କ ସହିତ ଲଢିବ କିଏ । ଚର୍ଚ୍ଚା ହେଉଛି ବାଲିକୁଦା-ଏରସମାରୁ ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିପାରେ । ଯଦି ପ୍ରଶାନ୍ତ ପ୍ରାର୍ଥୀ ହୁଅନ୍ତି ତେବେ ଦାମ ଓ ପ୍ରଶାନ୍ତଙ୍କ ମଧ୍ୟରେ ଜୋରଦାର ଲଢେଇ ହେବା ଆକଳନ କରାଯାଉଛି ।

 

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଯୋଗ ଦେବାପରେ ଭୁବନେଶ୍ୱରରେ ଦାମ ରାଉତଙ୍କ ଶକ୍ତି ପ୍ରଦର୍ଶନ । ବାଇକ ର‌୍ୟାଲି ଶୋଭାଯାତ୍ରାରେ ଏହିପରି ଢଙ୍ଗରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ଦାମ ରାଉତ । ନବୀନ ସରକାରଙ୍କ ବିରୋଧରେ ବର୍ଷିବା ସହିତ ଦାମ ସ୍ପଷ୍ଟ କରିଦେଇଛନ୍ତି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଲଢିବେ । ବାଲିକୁଦା-ଏରସମାରେ ଦୀର୍ଘବର୍ଷ ଧରି ବିଧାୟକ ଭାବରେ କାମ କରିଥିବାରୁ ଏହି ଆସନକୁ ବାଛିଥିବା କହିଛନ୍ତି ଦାମ । ଦାମଙ୍କ ସିଧା ଅଭିଯୋଗ ବର୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନେଇ ଲୋକେ ଅତିଷ୍ଠ । ତେଣୁ ଜନ୍ମମାଟିର ସେବା କରିବାକୁ ପୁଣିଥରେ ଅଂଟା ଭିଡିଛନ୍ତି ଦାମ ।

ବିଜେଡିକୁ ପ୍ରଭାବିତ କରିପାରିବେ କି ଦାମ?କଣ କହୁଛି ବିଜେଡି ଗଣିତ? ଲଗାତର ଦୁଇଟି ନିର୍ବାଚନରେ ବିଜୟର ବାନା ଉଡାଇଥିଲେ ବିଜେଡିର ପ୍ରଶାନ୍ତ ମୁଦୁଲି । ତୃତୀୟ ଥର ଜିତି ହାଟ୍ରିକ ପାଇଁ ପ୍ରଶାନ୍ତଙ୍କ ଟାର୍ଗେଟ – ୨୦୧୯ ନିର୍ବାଚନ । ଏଭଳି ସ୍ଥିତିରେ ବିଜେଡି ଗୋଷ୍ଠୀ କନ୍ଦଳ ପ୍ରଶାନ୍ତଙ୍କ ପାଇଁ ଯେତିକି ଅଡୁଆ ସୃଷ୍ଟି କରିଛି ତା ଠାରୁ ବଳିଯାଇଛି ଦାମ ରାଉତଙ୍କ ଦଳବଦଳ ରାଜନୀତି । ତେବେ ବିଜେଡି ସ୍ପଷ୍ଟ କରିଛି ଯେ ଦାମ ରାଉତ ବିଜେପିରେ ଯୋଗ ଦେବା ଏବଂ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ବିଜୁ ଜନତା ଦଳକୁ ପ୍ରଭାବିତ କରିପାରିବ ନାହିଁ ।

ତେବେ ଗୋଟିଏପଟେ ବିଜେପି ନେତା ଦାମ ରାଉତଙ୍କ ଦୀର୍ଘ ଦିନର ରାଜନୈତିକ ଏବଂ ସାଂଗଠନିକ ଅଭିଜ୍ଞତା ଅନ୍ୟପଟେ ଦୁଇ ଦୁଇ ଥର ଜିତି ବାଲିକୁଦା-ଏରସମାରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନିର୍ବାଚନ ମଣ୍ଡଳୀରେ ଦବଦବା । ଦେଖିବାର କଥା ହେଉଛି ଗେରୁଆ ରଙ୍ଗରେ ରଙ୍ଗିନ ହେବା ପରେ ଦାମ ରାଉତ କେତେଦୁର ଜନତାଙ୍କ ଆସ୍ଥା ଭାଜନ ହୋଇପାରୁଛନ୍ତି ଏବଂ ପ୍ରଶାନ୍ତଙ୍କୁ କେମିତି ଦେଉଛନ୍ତି ଟକ୍କର ।