ଚୋରି କଲେ, ବାଥରୁମରେ ଗାଧେଇକି ଗଲେ ! ବିଜେପି ବିଧାୟକଙ୍କ ଘରେ ନିଆରା ଚୋରି ।

20

ଲକ୍ଷ୍ମୀପୁରର ବିଜେପି ବିଧାୟକ ୟୋଗେଶ ବର୍ମାଙ୍କ ଫ୍ଲାଟରୁ ଲକ୍ଷ ଲକ୍ଷ ଟଙ୍କା ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଧାୟକଙ୍କ ଏହି ଫ୍ଲାଟରେ ତାଙ୍କ ପୁତୁରା ଏବଂ ଭଣଜା ରହୁଥିଲେ । ଜୁନ ୧ ତାରିଖ ସନ୍ଧ୍ୟାରେ ସେ ଫ୍ଲାଟରୁ କୌଣସି କାମରେ ବାହାରକୁ ଯାଇଥିଲେ । ଏହା ପରେ ଯେତେବେଳେ ସୋମବାର ଦିନ ଫ୍ଲାଟକୁ ଫେରିଥିଲେ ସେତେବେଳେ ଦେଖିଥିଲେ ଯେ, ଫ୍ଲାଟର କବାଟ ଖୋଲା ଅଛି ଏବଂ ଦୁଇଟିଯାକ ଚାବି ଭିତରେ ଭଙ୍ଗା ହୋଇ ପଡିଛି । ଆଲମାରି ଏବଂ ଲକର ମଧ୍ୟ ଖୋଲା ହୋଇ ରହିଥିଲା । ଏବଂ ଏହା ଭିତରେ ଥିବା ଜିନିଷ ପତ୍ର ଏଣେତେଣେ ପଡିଥିଲା । ବିଧାୟକ କହିଛନ୍ତି ଯେ, ତାଙ୍କ ଭଣଜା ଏବଂ ପୁତୁରା ତାଙ୍କ ସହ ଏକ ବିବାହ ଉତ୍ସବକୁ ଯାଇଥିଲେ । ବିବାହ ଉତ୍ସବ ସାରି ଘରକୁ ଫେରିବା ବେଳେ ଏପରି ଘଟଣା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଚୋରମାନେ ଘରୁ ପାଖାପାଖି ୧.୨୦ ଲକ୍ଷ ଟଙ୍କା ଏବଂ ୫୦-୫୦ ହଜାର ଟଙ୍କାର ଦୁଇଟି ଘଣ୍ଟା ଚୋରାଇ ନେଇଛନ୍ତି । ଘଟଣା ସମ୍ବନ୍ଧରେ ଜାଣିବା ପରେ ସେମାନେ ହଜରତଗଞ୍ଜ ପୋଲିସକୁ ଘଟଣା ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ । ତେବେ ଚୋରି କରିବା ପରେ ଚୋରମାନେ ବାଥରୁମରେ ଗାଧୋଇଥିଲେ ବୋଲି ବିଧାୟକ କହିଛନ୍ତି । ତେବେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାର ସଠିକ ତଦନ୍ତ ପାଇଁ ପୋଲିସ ଫରେନସିକ ଟିମ ଏବଂ ଡଗ୍ ସ୍କ୍ୱାର୍ଡକୁ ମଧ୍ୟ ଡାକିଛନ୍ତି । ତେବେ ଆଖପାଖର କୌଣସି ଦୁର୍ବୁତ୍ତ ଏହି ଚୋରି କରିଥିବା ପୋଲିସ ସନ୍ଦେହ କରୁଛି ।