ପ୍ଲାଷ୍ଟିକ କପରେ ଚା’ ପିଇବାର ପ୍ରଭାବ : ଯୌନ କ୍ଷମତା ଉପରେ ପ୍ରଭାବ ସହ କ୍ୟାନସରର ରହିଛି ଡର

112

କନକ ବ୍ୟୁରୋ : ଆପଣ ପ୍ଲାଷ୍ଟିକ୍ କପରେ ଚା’ ପିଉଛନ୍ତି କି ? ପ୍ରାୟତଃ ଅଫିସ, ମେଡ଼ିକାଲ, ବିବାହ ଉତ୍ସବ, ଦୋକାନ ଗୁଡ଼ିକରେ ପେପର କପ୍ କିମ୍ବା ପ୍ଲାଷ୍ଟିକ୍ କପରେ ଚା’ ଦିଆଯାଏ । ଆପଣ ପ୍ଲାଷ୍ଟିକ କପ ବ୍ୟବହାର କରି ଯେଉଁ କଫି ଓ ଚା’କୁ ସୁରକ୍ଷିତ ଭାବୁଛନ୍ତି, ବାସ୍ତବରେ ତାହା ବହୁତ କ୍ଷତିକାରକ । ସୁବିଧା ପାଇଁ ବଜାରରେ ଫ୍ଲାଷ୍ଟିକ, ପେପର କପ୍ ବେଶ ଲୋକପ୍ରିୟ । ଆପଣ ଜାଣନ୍ତି କି ଏହି କପ୍ ଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ । ପ୍ଲାଷ୍ଟିକ୍ କପରେ ଚା’ ପିଇଲେ ଏହାର କଣ ପ୍ରଭାବ ରହିଛି ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ କେତେ ସାଂଘାତିକ ହୋଇପାରେ । ପ୍ଲାଷ୍ଟିକ କପରେ ଚା’ ପିଇବା କେତେ ଭୟଙ୍କର ହୋଇପାରେ ତାହାର କେତେକ ତଥ୍ୟ ଉପରେ ନଜର ପକାଇବା ।

ପ୍ଲାଷ୍ଟିକ କପ୍, ବିସଫେନଲ–ଏ ବା ବିପିଏ ଓ ପଲିପ୍ରୋପିଲିନ୍ ରସାୟନରେ ତିଆରି । ଏଥିରେ ଗରମ ପାଣି ବା ଗରମ ଚା’ ପଶିଲେ, ଏହା ତାତି ଯିବା ସହ ଏଥିରୁ ବିସଫେନଲ-ଏ ବା ବିପିଏ ନିର୍ଗତ ହୋଇଥାଏ । ଏହି ରାସାୟନିକ ପଦାର୍ଥର ପ୍ରଭାବରୁ ମେଦ ବୃଦ୍ଧି, କ୍ୟାନସର, ଯୌନ କ୍ଷମତାରେ ଅସୁବିଧା ପରି ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି ।

ଏହା ସହ ବିସଫେନଲ-ଏ ନାମକ ରାସାୟନିକ ପଦାର୍ଥ ସିଧାସଲଖ ଆମ ଦେହର ହରମୋନକୁ ପ୍ରଭାବିତ କରିଥାଏ । ଫଳରେ ବହୁ ହରମୋନ ଜନିତ ସମସ୍ୟା ଦେଖାଦେଇଥାଏ । ଟେଷ୍ଟୋଟେରନ, ଇଷ୍ଟ୍ରୋଜେନ, ପ୍ରୋଜେଷ୍ଟେରନ ପରି ହରମୋନ ସହ ବିସଫେନଲ-ଏ ରାସାୟନିକ ମିଶିବା ଫଳରେ ଯୌନସମସ୍ୟା ସୃଷ୍ଟି ହୋଇଥାଏ । ପ୍ରୋଷ୍ଟେଟ୍ କ୍ୟାନସର, ଶୁକ୍ରାଣୁ ସଂଖ୍ୟାରେ ହ୍ରାସ ପରି ରୋଗ ହେବା ସମ୍ଭାବନା ରହିଥାଏ । ଅନ୍ୟପଟେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ, ଗର୍ଭପାତ ଏବଂ ଗର୍ଭ ଭିତରେ ଥିବା ଶିଶୁ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

ପ୍ଲାଷ୍ଟିକ ଚା କପରୁ ନିର୍ଗତ ହେଉଥିବା ବିସଫେନଲ-ଏ ନାମକ ରାସାୟନିକ ପଦାର୍ଥ ପିଟ୍ୟୁଟାରି ଗ୍ରନ୍ଥିରୁ ନିର୍ଗତ ହରମୋନ ସହ ମିଶିବା ଫଳରେ ମସ୍ତିଷ୍କର ବିକାଶ ବାଧା ପ୍ରାପ୍ତ ହୋଇଥାଏ । ଏହା ସହ ଏହି ମାରାତ୍ମକ ରାସାୟନିକ ପାନକ୍ରିଆସର ଆଲ୍ଫା-କୋଷକୁ ପ୍ରଭାବିତ କରିବା ଫଳରେ ଇନସୁଲିନ୍ କ୍ଷରଣ ପ୍ରଭାବିତ ହୋଇଥାଏ । ଫଳରେ ଇନସୁଲିନ୍ ଅଭାବରୁ ମଧୁମେହ ବା ଡାଏବେଟିସ୍ ରୋଗ ହେବାର ସମ୍ଭାବନା ବଢିଯାଏ ।

ଅନ୍ୟପଟେ ପ୍ଲାଷ୍ଟିକ କପରେ ଚା’ ପିଇବା ଫଳରେ ସୃଷ୍ଟି ହେଉଥିବା ବିସଫେନଲ-ଏ ରାସାୟନିକ ପଦାର୍ଥର ପ୍ରଭାବରେ ଆମ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଫଳରେ ସାଧାରଣ ରୋଗ ମଧ୍ୟ ସହଜରେ ଆକ୍ରମଣ କରିଥାଏ । ପ୍ରତିଶେଧକ ଶକ୍ତିର ଅଭାବ ଯୋଗୁଁ କୌଣସି ରୋଗରୁ ମୁକ୍ତି ପାଇବା ମଧ୍ୟ କଷ୍ଟ ସାଧ୍ୟ ହୋଇଥାଏ ।