ମୋଦି ସରକାରଙ୍କୁ ନବୀନ କଲେ ‘ଡବଲ ଇଂଜିନ୍’ ଆଟାକ୍ ! ପଚାରିଲେ, ଡବଲ ଇଂଜିନ୍ ରାଜ୍ୟରେ କାହିଁକି ହାରିଲା ବିଜେପି, ଜିଏସଟି ଯୋଗୁଁ ବଢ଼ିଲା ବେରୋଜଗାର ।

364

କନକ ବ୍ୟୁରୋ : ମୋଦି ଓ ବିଜେପି ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ସିଧା ଟାର୍ଗେଟ୍ । ବିଜେପିକୁ ଧନୀ ଲୋକଙ୍କ ଦଳ ବୋଲି କହିବା ସହ ଧନୀ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି ନବୀନ । ସେହିପରି ବିଜେପିର ଡବଲ ଇଂଜିନ୍ ଥିଓରୀକୁ ସମାଲୋଚନା କରି ପ୍ରଶ୍ନ କରିଛନ୍ତି, ବିଜେପି ଶାସିତ ରାଜ୍ୟରେ କାହିଁକି ଲାଇନଚ୍ୟୁତ ହେଲା ବିଜେପି ଇଂଜିନ୍ । ଅନ୍ୟପଟେ ସାଲେପୁର ଜନସଭାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛନ୍ତି । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରଚାର ବେଳେ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

‘ବିଜେପି ଧନୀ ଲୋକଙ୍କ ଦଳ’ । ‘ଧନୀଙ୍କ ପାଇଁ କାମ କରୁଛି ବିଜେପି’ । ବିଜେପି ସରକାର ଧନୀଙ୍କ ସ୍ୱାର୍ଥରେ କାମ କରୁଛି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରପଡ଼ା ଲୋକସଭା କ୍ଷେତ୍ରରେ ପ୍ରଚାର କରିଛନ୍ତି ନବୀନ । ବାଲେଶ୍ୱର ଜନସଭାରେ ନବୀନ କହିଛନ୍ତି,

-ବିମୁଦ୍ରାୟନ ଯୋଗୁଁ ଗରିବ ଆହୁରି ଗରିବ ହୋଇଛନ୍ତି

-ଜିଏସଟି ଯୋଗୁଁ ଯୁବକ ରୋଜଗାର ହରାଇଛନ୍ତି

-ଗୁଜୁରାଟ ମଡେଲକୁ ନେଇ କେବଳ ପ୍ରଚାର କରାଯାଉଛି

ଏହା ସହିତ ବିଜେପିର ଡବଲ୍ ଇଂଜିନ୍ ଥିଓରୀକୁ ନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି,

– ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଡବଲ ଇଂଜିନର ହେଲା କ’ଣ?

– ବିଜେପି ଏହି ସବୁ ରାଜ୍ୟରେ ହାରିଲା କାହିଁକି ?

– ସାରା ଦେଶରେ ଏଥର ବିଜେପି ହାରିବ ବୋଲି ଦୃଢ଼ତାର ସହ କହିଛନ୍ତି ନବୀନ ପଟ୍ଟନାୟକ ।

ସେହିପରି ସାଲେପୁର ସଭାରେ ନାଁ ନନେଇ କେନ୍ଦ୍ରପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । ନିଜ ସ୍ୱାର୍ଥ ପାଇଁ କାମ କରିଥିବା ନେତାଙ୍କୁ ଲୋକ ଉଚିତ ଜବାବ୍ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ଏସବୁ ଭିତରେ ମୋଦି ସରକାରଙ୍କ ବିଫଳତା ଏବଂ ରାଜ୍ୟ ସରକାରଙ୍କ ସଫଳତାର କଥା କହି, ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ମାଗିଛନ୍ତି ନବୀନ ପଟ୍ଟନାୟକ ।