ଶ୍ରୀଲଙ୍କାରେ ନ୍ୟୁଜିଲାଣ୍ଡର ବଦଲା । କଲୋମ୍ବୋରେ ପ୍ରତିଶୋଧର ନରସଂହାର, ୩୧୦କୁ ବଢ଼ିଲା ମୃତ୍ୟୁ ସଂଖ୍ୟା । ହିଂସାର ବଦଲା ହିଂସାରେ ନେଲେ ଆତଙ୍କୀ ?

739

କନକ ବ୍ୟୁରୋ : ଶ୍ରୀଲଙ୍କା କଲୋମ୍ବୋ ସିରିଜ୍ ବିସ୍ଫୋରଣ ଘଟାଇଥିଲା ଦୁନିଆର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ । ଶ୍ରୀଲଙ୍କା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଆଇଏସ୍ । ଏହି ନରସଂହାର ପଛର କାରଣ ହେଉଛି ପ୍ରତିଶୋଧ । ମସଜିଦ୍ ଆକ୍ରମଣର ବଦଲା, ଚର୍ଚ୍ଚ ଉପରେ ଆକ୍ରମଣ କରି ନିଆଯାଇଛି । ଜାତୀୟ-ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରତିଶୋଧ ପାଇଁ ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚରେ ଆକ୍ରମଣ କରାଯାଇଥିବା ଆଇଏସଆଇଏସ୍ ସ୍ୱୀକାର କରିଛି । ପ୍ରତିଶୋଧ ପରାୟଣ ଏହି ନରସଂହାର କରାଯାଇଥିବା ଶ୍ରୀଲଙ୍କା ସରକାର ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ଆଜି ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ଏନେଇ ବିଧିବଦ୍ଧ ଭାବରେ ପାର୍ଲାମେଂଟରେ ସୂଚନା ଦେଇଛନ୍ତି ।

ଶ୍ରୀଲଙ୍କାରେ ନ୍ୟୁଜିଲାଣ୍ଡର ବଦଲା । କଲୋମ୍ବୋରେ ପ୍ରତିଶୋଧର ନରସଂହାର । ଶ୍ରୀଲଙ୍କା ସିରିଜ୍ ବିସ୍ଫୋରଣ ନେଇ ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ଖବର୍ ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ଶ୍ରୀଲଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ, ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଇସଲାମିକ୍ ଚରମପନ୍ଥୀଙ୍କ ସଂପୃକ୍ତି ନେଇ ସନ୍ଦେହ କରିଥିବା ବେଳେ ଆଜି ଶ୍ରୀଲଙ୍କା ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ଆତଙ୍କବାଦୀ ଆକ୍ରମଣ, ନ୍ୟୁଜିଲାଣ୍ଡ କ୍ରାଇଷ୍ଟଚର୍ଚ ଗୁଳିକାଣ୍ଡ ଘଟଣାର ପ୍ରତିଶୋଧ ।

ଆପଣଙ୍କର ମନେ ଥିବ ଗତ ମାର୍ଚ୍ଚ ୧୫ ତାରିଖ, ନ୍ୟୁଜିଲାଣ୍ଡ କ୍ରାଇଷ୍ଟଚର୍ଚ୍ଚରେ ହୋଇଥିଲା ଆଖିବୁଜା ଗୁଳିଚାଳନା । ଯେଉଁଥିରେ ୫୦ଜଣଙ୍କର ମୃତ୍ୟୁ ହୋଇଥିଲା । ସାରା ଦୁନିଆକୁ ଏହି ଘଟଣା ସ୍ତବ୍ଧ କରିଦେଇଥିଲା । ଆଉ ଏବେ ଏହି ଆତଙ୍କବାଦୀ ଆକ୍ରମଣ ସହ ଶ୍ରୀଲଙ୍କା ସିରିଜ୍ ବିସ୍ଫୋରଣ ଲିଙ୍କ୍ ଥିବା ଦାବି କରିଛନ୍ତି ଶ୍ରୀଲଙ୍କା ସରକାର ।

ହିଂସାର ବଦଲା ହିଂସାରେ ନେଲେ ଆତଙ୍କୀ ? ପ୍ରତିଶୋଧ ପାଇଁ ଆକ୍ରମଣ ନେଇ ଶ୍ରୀଲଙ୍କାର ଦାବି । ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ରୁୱାନ ବିଜୟବର୍ଦ୍ଧନେଙ୍କ ସୂଚନା ଅନୁୟାୟୀ ନ୍ୟୁଜିଲାଣ୍ଡ ଚର୍ଚ୍ଚରେ ହୋଇଥିବା ଗୁଳିକାଣ୍ଡର ପ୍ରତିଶୋଧ ପାଇଁ ଇସଲାମିକ ସଂଗଠନ କଲୋମ୍ବୋରେ ସିରିଜ ବିସ୍ଫୋରଣ ଘଟାଇଛି । କେବଳ ଏତିକି ନୁହେଁ ଶ୍ରୀଲଙ୍କା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିଦେଶୀ ଶକ୍ତିଙ୍କ ହାତ ଥିବା ମଧ୍ୟ ଶ୍ରୀଲଙ୍କା ସରକାର ଆଶଙ୍କା କରୁଛନ୍ତି । ଇଷ୍ଟର ଅବସରରେ କଲୋମ୍ବୋର ବିଭିନ୍ନ ଚର୍ଚ୍ଚ ଓ ହୋଟେଲରେ ହୋଇଥିବା ସିରିଜ ଆକ୍ରମଣ ନେଇ ପୂର୍ବରୁ ଗୁଇନ୍ଦା ସୂଚନା ରହିଥିଲା । ତେବେ ଏତେ ବଡ ନରସଂହାରର ଷଡଯନ୍ତ୍ର ରଚାଯାଇଥିବା ଆକଳନ ବାହାରେ ରହିଥିଲା ବୋଲି ଶ୍ରୀଲଙ୍କା ପ୍ରତିରକ୍ଷା ସଚିବ କହିଛନ୍ତି । ଶ୍ରୀଲଙ୍କାର ଇତିହାସର ସବୁଠାରୁ କଳଙ୍କିତ ଅଧ୍ୟାୟ ହୋଇ ରହିବ ଏହି ସିରିଜ ବିସ୍ଫୋରଣ । ତେବେ ପୂର୍ବରୁ ଆକ୍ରମଣ ଯୋଜନା ନେଇ ସୂଚନା ରହିଥିଲେ ମଧ୍ୟ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇନଥିଲା । ପ୍ରାଥମିକ ତଦନ୍ତ ଅନୁଯାୟୀ ଏହି ହମଲା ପଛରେ ଚରମପନ୍ଥୀ ଇସଲାମିକ ସଂଗଠନ ନ୍ୟାସନାଲ ତୌହାଦି ଜମାତର ହାତ ରହିଥିବା ସନ୍ଦେହ କରାଯାଉଛି ।